ବିର୍ସାମୁଣ୍ଡା ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ହେବ ପାଳନ : କେନ୍ଦ୍ର କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନଭେମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ

95

କନକ ବ୍ୟୁରୋ : ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ । ଏନେଇ କେନ୍ଦ୍ର କ୍ୟାବିନେଟ୍ର ମଂଜୁରୀ ମିଳିଛି । ଏଥିପାଇଁ ନଭେମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ସପ୍ତାହେବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ୍ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ନିର୍ଣ୍ଣୟ ଓଡ଼ିଶା ସମେତ ଦେଶର ଜନଜାତି ସଂପ୍ରଦାୟର ପୂର୍ବ ବୀରଗାଥା ଓ ଗୌରବମୟ ଇତିହାସକୁ ଉଜ୍ଜୀବିତ କରିବା ସହ ସେମାନଙ୍କ ସଂସ୍କୃତି, ପରମ୍ପରା ସାରା ଭାରତବର୍ଷରେ ଆଦୃତ ହେବ ।

ଏହାବ୍ୟତିତ କେନ୍ଦ୍ର କ୍ୟାବିନେଟର ବିଭିନ୍ନ ନିଷ୍ପତି ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଗାମୀ ୨୦୨୧-୨୨ରେ ଆଖୁ ଚାଷ ସମୟରେ ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ ଅନ୍ତର୍ଗତ ଆଖୁଛେଦାରୁ ପ୍ରସ୍ତୁତ ଇଥାନଲକୁ ଅଧିକ ମୂଲ୍ୟରେ କିଣିବା ପାଇଁ ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଇଥାନଲ ଯୋଗାଣକାରୀ ଏବଂ ଚାଷୀମାନେ ଅଧିକ ଲାଭବାନ ହେବେ । ସେହିପରି ବର୍ଷ ୨୦୧୪-୧୫ ରୁ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ କପାର ସର୍ବନିମ୍ନ ସହାୟକ ମୂଲ୍ୟର କ୍ରୟ ପାଇଁ ଭାରତୀୟ କପା ଆୟୋଗକୁ ସିଧାସଳଖ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ୧୭ ହଜାର ୪୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି ୨୦୨୦-୨୧ ବର୍ଷ ପାଇଁ ପ୍ୟାକେଜିଂରେ ଝୋଟର ନିରନ୍ତର ବ୍ୟବହାରକୁ ମଧ୍ୟ ସ୍ୱୀକୃତି ଦିଆଯାଇଛି। ଏହି ନିଷ୍ପତି ଦ୍ୱାରା ଦେଶର ଲକ୍ଷ ଲକ୍ଷ ଝୋଟ ଏବଂ କପା ଚାଷୀମାନେ ଉପକୃତ ହେବେ। କପା ଏବଂ ଝୋଟ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବାରେ ସହାୟକ ହେବ ଏବଂ ଏହି ବର୍ଗର ଚାଷୀଙ୍କ ଉତ୍ପାଦକୁ ଉଚିତ୍ ମୂଲ୍ୟ ଦେବା, ବଜାର ଉପଲବ୍ଧ କରିବା ସହ ଆର୍ଥିକ ସମ୍ବଳ ବୃଦ୍ଧି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି ।