କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ କ୍ୟାବିନେଟ ମନ୍ତ୍ରୀ । ସ୍ୱାମୀ ଅଭିମନ୍ୟୁ ସାହୁଙ୍କୁ ମନେ ପକାଇ କୋହ ସମ୍ବରଣ କରିପାରିଲେ ନାହିଁ ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ।

4,915

କନକ ବ୍ୟୁରୋ : ନବୀନଙ୍କ ନୂଆ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଟିଟିଲାଗଡର ବିଧାୟିକା ଟୁକୁନି ସାହୁ । ଆଉ ମନ୍ତ୍ରୀ ପଦ ମିଳିବା ପରେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଟୁକୁନି । ସଫଳତା ପରେ ସ୍ୱାମୀଙ୍କ କଥା ମନେ ପକାଇ ସେ ନିଜର କୋହ ସମ୍ବରଣ କରିପାରି ନଥିଲେ ।

କ୍ୟାମେରା ଆଗରେ କାନ୍ଦି ପକାଇଲେ କ୍ୟାବିନେଟ ମନ୍ତ୍ରୀ । ନୂଆ କରି ନବୀନଙ୍କ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ନିଜ ଅତୀତର କଥା ମନେ ପକାଇ କାନ୍ଦି ପକାଇଛନ୍ତି । ୨୦୧୩ରେ ସ୍ୱାମୀ ଅଭିମନ୍ୟୁ ସାହୁଙ୍କୁ ଯେଉଁଭଳି ହତ୍ୟା କରାଯାଇଥିଲା ସେକଥାକୁ ମନେ ପକାଇ କାନ୍ଦିଛନ୍ତି ଟୁକୁନି । ସ୍ୱାମୀ ଅଭିମନ୍ୟୁ ବିଜେଡିର ଦୃଢ ସଙ୍ଗଠକ ଥିବା ବେଳେ ୨୦୧୪ରେ ଟିଟଲାଗଡରୁ ଟିକେଟ ରେସରେ ମଧ୍ୟ ଆଗରେ ଥିଲେ । କିନ୍ତୁ ନିର୍ବାଚନ ପୂର୍ବରୁ ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଥିଲା । ଆଉ ଏହାପରେ ବଦଳି ଯାଇଥିଲା ଟୁକୁନି ସାହୁଙ୍କ ଜୀବନର ଗତିପଥ । ଟୁକୁନି ସାହୁଙ୍କୁ ଟିଟିଲାଗଡରୁ ପ୍ରାର୍ଥୀ କରିଥିଲା ବିଜେଡି ।

ଆଉ ପ୍ରଥମ ନିର୍ବାଚନରେ ହିଁ ବିଜୟ ବାନା ଉଡାଇଥିଲେ ଟୁକୁନି । ସାଧାରଣ ଗୃହଣୀରୁ ବିଧାୟିକା ହୋଇଥିଲେ । ସ୍ୱାମୀଙ୍କ ଦେହାନ୍ତର ଦୁଃଖକୁ ମନ ଭିତରେ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଆରମ୍ଭ କରିଥିଲେ ପ୍ରୟାସ । ଦୀର୍ଘ ୫ ବର୍ଷ ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିବା ପରେ ପୁଣିଥରେ ୨୦୧୯ରେ ଟୁକୁନିଙ୍କ ଉପରେ ଭରସା କରିଥିଲେ ନବୀନ । ପୁଣିଥରେ ଟିଟିଲାଗଡରୁ ଟୁକୁନିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଆଉ ପୂର୍ବପେକ୍ଷା ଅଧିକ ଭୋଟରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ବିଧାୟିକା ହୋଇଥିଲେ ଟୁକୁନି । କିନ୍ତୁ କ୍ୟାବିନେଟ ମନ୍ତ୍ରୀ ଭାବେ ସୁଯୋଗ ମିଳିବ ଏକଥା ସ୍ୱପ୍ନରେ ମଧ୍ୟ ଭାବିନଥିଲେ ଟୁକୁନି । କିନ୍ତୁ ନବୀନ ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ସେ ଓଡିଶାର ବିକାଶ ପାଇଁ ଯାହା କିଛି କରାଯାଇପାରିବ ତାହା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ।

 

ଟୁକୁନିଙ୍କୁ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପରେ ଦୀର୍ଘ ୩୮ ବର୍ଷ ପରେ ପୁଣିଥରେ ଟିଟିଲାଗଡକୁ ମିଳିଛି ମନ୍ତ୍ରୀପଦ । ଦ୍ୱିତୀୟ ଥର ପାଇର୍ ବିଧାୟିକା ହୋଇଥିବା ଟୁକୁନିଙ୍କୁ ପ୍ରଥମ ଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିବା ବେଳେ ସିଧାସଳଖ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିବା ଟିଟିଲାଗଡରେ ଖୁସିର ମାହୋଲ ସୃଷ୍ଟି କରିଛି ।