କନକ ବ୍ୟୁରୋ: ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । କାଲି ସକାଳ ୯ଟା ୫୦ରେ ଲୋକସେବା ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ହେବ । ତେବେ କିଏ ମନ୍ତ୍ରୀ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହେଡକ୍ୱାର୍ଟର ନଛାଡିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୂଚନା ଅନୁସାରେ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ ଓ ଉମାକାନ୍ତ ସାମନ୍ତରାୟଙ୍କୁ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି ।
- କିଏ ହେବେ ନୂଆ ମନ୍ତ୍ରୀ?
- ବଢୁଛି ବିଜେଡି ବିଧାୟକଙ୍କ ହୃଦସ୍ପନ୍ଦନ
କାଲି ମନ୍ତ୍ରିମଣ୍ଡଳ ସଂପ୍ରସାରଣ । କାହାକୁ ନୂଆ ମନ୍ତ୍ରିପଦ ମିଳିବ, କାହାକୁ କେଉଁ ବିଭାଗ ଦିଆଯିବ, ଏହାକୁ ନେଇ ବିଜେଡି ନେତାଙ୍କ ଛାତି ଧଡ଼ପଡ଼ ହେଉଛି । ସମୟ ପାଖେଇ ଆସୁଛି, ହେଲେ ମନ୍ତ୍ରିମଣ୍ଡଳକୁ ନେଇ ସସପେନ୍ସ ଜାରି ରହିଛି । ତେବେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ ସୂଚୀ ଜାରି କରାଯାଇଛି ।
- ସୋମବାର ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ
- ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
- ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବ ଶପଥ ଗ୍ରହଣ ଉତ୍ସବ
ତେବେ କାହାକୁ ମନ୍ତ୍ରୀ କରାଯିବ, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ହେଡ୍କ୍ୱାର୍ଟର ନଛାଡିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ବିଜେଡି ବିଧାୟକଙ୍କ ହୃଦସ୍ପଦନ ବଢିବାରେ ଲାଗିଛି ।
ତେବେ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ଭଟଲି ବିଧାୟକ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମନ୍ତ୍ରିପଦ ପାଇପାରନ୍ତି ବୋଲି ଅଧିକ ଚର୍ଚ୍ଚା ହେଉଛି ।
ବିକ୍ରମ କେଶରୀ ଆରୁଖ
- ଭଂଜନଗରରୁ ୬ ଥର ବିଧାୟକ
- ପୂର୍ବରୁ ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ, ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରିପଦ ସମ୍ଭାଳିଛନ୍ତି
- ନିକଟରେ ବାଚସ୍ପତି ପଦରୁ ସେ ଇସ୍ତଫା ଦେଇଛନ୍ତି
- ମନ୍ତ୍ରିମଣ୍ଡଳରେ ଗଂଜାମର ପ୍ରତିନିଧିତ୍ୱ ନଥିବାରୁ ବିକ୍ରମ ଆରୁଖଙ୍କ ପଲ୍ଲା ଭାରି ରହିଛି
ସୁଶାନ୍ତ ସିଂ
- ଭଟଲିରୁ କ୍ରମାଗତ ୩ ଥର ବିଧାୟକ
- ପଶ୍ଚିମ ଓଡ଼ିଶାରେ ବିଜେଡିର ବଡ଼ ଚେହେରା
- ପୂର୍ବରୁ ଶ୍ରମ, ଶକ୍ତି ଭଳି ବିଭାଗର ମନ୍ତ୍ରିପଦ ସମ୍ଭାଳିଛନ୍ତି
ସ୍ନେହାଙ୍ଗିନୀ ଛୁରିଆ
- ଅତାବିରାରୁ କ୍ରମାଗତ ୨ ଥର ବିଧାୟିକା
- ପୂର୍ବରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି
- ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ ରହିଛନ୍ତି
ଉମାକାନ୍ତ ସାମନ୍ତରାୟ
- ସତ୍ୟବାଦୀ ବିଧାୟକ
- ୨୦୧୪ରେ ସ୍ୱାଧୀନ ଭାବେ ଏବଂ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଜିତିଛନ୍ତି
- ସମୀର ଦାଶଙ୍କ ଇସ୍ତଫା ପରେ ତାଙ୍କୁ ମନ୍ତ୍ରିପଦ ମିଳିବା ସମ୍ଭାବନା ରହିଛି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବାକୁ ଯାଉଥିବାବେଳେ, କଟାକ୍ଷ କରିଛନ୍ତି ବିରୋଧୀ । ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ମନ୍ତ୍ରିମଣ୍ଡଳରେ କିଏ ରହିବ, କିଏ ବାଦ ପଡିବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଛାଧୀନ ବିଷୟ ।