ବଢିବ ବାୟୁସେନାର ଶକ୍ତି । ୪୮ହଜାର କୋଟି ଟଙ୍କାରେ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଲା ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ।

91

କନକ ବ୍ୟୁରୋ : ବଢିବ ବାୟୁସେନାର ଶକ୍ତି । ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ଆଜି ୪୮ହଜାର କୋଟି ଟଙ୍କାର ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ସବୁଜ ସଙ୍କେତ ମିଳିଛି । ଏହାଦ୍ୱାରା ହାଲ ଠାରୁ ୭୩ଟି ଲଢୁଆ ତେଜସ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ କ୍ରୟ କରାଯିବ ।

ଘରୋଇ ବଜାରରୁ ଏହା ସବୁଠାରୁ ବଡ ଡିଲ ବୋଲି କୁହାଯାଉଛି । ଆସନ୍ତା ଫେବ୍ରୁୟାରୀରେ ଏନେଇ ଚୁକ୍ତି ହେବ । ଏବଂ ଏହାର ତିନି ବର୍ଷ ପରେ ଏହାର ବାୟୁସେନାକୁ ଯୋଗଇବା ଆରମ୍ଭ ହେବ । ଏହାଦ୍ୱାରା ଭାରତୀୟ ବାୟୁସେନାର ଲଢୁଆ ବିମାନ ଅଭାବ ଦୂର ହେବା ସହ ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ଭାରତ ଯୋଜନାକୁ ପ୍ରୋତ୍ସାହନ ମିଳିବ । ଏହି ପ୍ରସ୍ତାବକୁ ମଂଜୁର ମିଳିବା ପରେ ଏନେଇ ଟ୍ୱିଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ଆଜି ୪୮ହଜାର କୋଟି ମୂଲ୍ୟର ବୃହତମ ସ୍ୱଦେଶୀ ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଆତ୍ମନିର୍ଭର କରିବାରେ ଏହି ଡିଲ ବେଶ ସହାୟକ ହେବ ।

ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ହାଲ୍ ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ବା ତେଜସ ଚତୁର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟି ରୋଲ ଲଢୁଆ ବିମାନ । ବିଶ୍ୱର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ଦାବି କରୁଛି ହାଲ ।