ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି କୃଷକ ସଙ୍ଗଠନ : କୃଷି ଆଇନ ଉଚ୍ଛେଦ ବିଲକୁ କ୍ୟାବିନେଟ ମଞ୍ଜୁରୀ ପରେ ବି ଶକ୍ତି ପ୍ରଦର୍ଶନ କରିବେ କୃଷକ

ଆନ୍ଦୋଳନର ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀ ସୀମାରେ ଏକାଠି ହେବେ ହଜାର ହଜାର ଚାଷୀ । ୨୯ରେ ସଂସଦକୁ ଟ୍ରାକ୍ଟର ରାଲି ଯୋଜନା

210

କନକ ବ୍ୟୁରୋ : କୃଷି ଆଇନ ରଦ୍ଦ ବିଲକୁ କ୍ୟାବିନେଟର ମଞ୍ଜୁର ପରେ ବି, ଚାଷୀ ସଂଗଠନ ଶାନ୍ତ ପଡି ନାହାଁନ୍ତି । ଏବଂ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । କାଲି କୃଷକ ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ଏମଏସପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା ହୋଇଥିଲେ ବି କୃଷକମାନେ ଅନ୍ୟ ଦାବି ସବୁ ପୂରଣ ଜିଦ୍‌ରେ ଆନ୍ଦୋଳନ ଜାରି ରଖିବାକୁ ଅଟଳ ରହିଛନ୍ତି । ସଂସଦରେ ଆଇନ ଉଚ୍ଛେଦ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ। ଏଥିପାଇଁ ସେମାନଙ୍କ ପୂର୍ବ ‌ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ହେବ । ଆସନ୍ତା ୨୯ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ଦିନ ଆନ୍ଦୋଳନରତ ଚାଷୀମାନେ ସଂସଦକୁ ଟ୍ରାକ୍ଟର ରାଲି କରିବେ ।

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଦାବି କରି ସେମାନେ ସଂସଦକୁ ଟ୍ରାକ୍ଟର ଯାତ୍ରା କରିବେ ବୋଲି ବିକେୟୁ ନେତା ରାକେଶ ଟିକାୟତ କହିଛନ୍ତି । ସରକାରଙ୍କ ଦ୍ବାରା ଯେଉଁ ରାସ୍ତା ଖୋଲାଯାଇଛି ସେହି ରାସ୍ତାରେ ଟ୍ରାକ୍ଟର ଯିବ। ଆମେ ରାସ୍ତା ବନ୍ଦ କରିଥିଲୁ ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ଆମେ ରାସ୍ତା ବନ୍ଦ କରିନଥିଲୁ କି ରାସ୍ତା ବନ୍ଦ କରିବା ଆମର ଉଦ୍ଦେଶ୍ୟ ନଥିଲା। ଆମେ ସରକାରଙ୍କ ସହ କଥା ହେବାକୁ ଚାହୁଥିଲୁ । ଆମେ ସିଧାସଳଖ ସଂସଦ ଯିବୁ ବୋଲି ଟିକା‌ୟତ କହିଛନ୍ତି ।

୬୦ ଟ୍ରାକ୍ଟର ସହିତ ପ୍ରାୟ ୧ ହଜାର ଚାଷୀ ସେମାନଙ୍କ ଏମ୍‌ଏସପି ଦାବି ପାଇଁ ସଂସଦକୁ ଯାତ୍ରା କରିବେ ବୋଲି ଏସକେଏମ୍‌ କହିଛି । ଏମ୍‌ଏସପି ଗ୍ୟାରେଣ୍ଟି ଆଇନ ସଂକ୍ରାନ୍ତରେ ଆମେ ସରକାରଙ୍କ ଜବାବକୁ ଅପେକ୍ଷା କରିଛୁ । ଚାଷୀ ଆନ୍ଦୋଳନ ସମୟରେ ୭୫୦ କୃଷକ ପ୍ରାଣ ହାରାଇଛନ୍ତି। ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି ହୋଇଛି । ଅନ୍ୟପକ୍ଷେ କହିଛି ଆସନ୍ତା ୨୬ ତାରିଖରେ କୃଷି ଆନ୍ଦୋଳନକୁ ବର୍ଷେ ପୂରଣ ହେବ। ଏଥିପାଇଁ ହେବାକୁ ଥିବା କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କୃଷକ ଯୋଗ ଦେବେ ବୋଲି ଏସ୍‌କେଏମ୍‌ କହିଛି ।