ଆଉ ଗୋଟିଏ ସରକାରୀ କମ୍ପାନୀ ବିକ୍ରି କରିବେ ଭାରତ ସରକାର , ହିନ୍ଦୁସ୍ତାନ ଜିଙ୍କର ପୂର୍ଣ୍ଣ ସେୟାର ବିକ୍ରି କରିବାକୁ କ୍ୟାବିନେଟର ମଞ୍ଜୁରୀ

165

କନକ ବ୍ୟୁରୋ : ଦେଶରେ ଗୋଟିଏ ପରେ ଗୋଟିଏ ଜାତୀୟ ସମ୍ପତିକୁ ସରକାର ଘରୋଇ କରଣ ନାମରେ ବିକ୍ରି କରିବାରେ ଲାଗିଛନ୍ତି । ସେ ଏୟାର ଲାଇନ୍ସ ହେଉ କି ପେଟ୍ରୋଲିୟମ କମ୍ପାନୀ । ଗୋଟିଏ ପରେ ଗୋଟିଏ କମ୍ପାନୀ ବିକ୍ରି କରିବାରେ ଲାଗିଛନ୍ତି ଭାରତ ସରକାର । ଏହି କ୍ରମରେ ଦେଶର ସବୁଠାରୁ ବଡ ଜିଙ୍କ୍ କମ୍ପାନୀ ହିନ୍ଦୁସ୍ତାନ ଜିଙ୍କ କମ୍ପାନୀକୁ ବିକ୍ରି କରିବାକୁ ସରକାର କ୍ୟାବିନେଟରେ ମଞ୍ଜୁର କରିଛନ୍ତି । ଅର୍ଥାତ ଏହି କମ୍ପାନୀରେ ଥିବା ସରକାରଙ୍କ ମୋଟ ସେୟାର ଏବେ ବିକ୍ରି କରିଦିଆଯିବ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି କମ୍ପାନୀରେ ଭାରତ ସରକାରଙ୍କ ୨୯.୫୪ ପ୍ରତିଶତ ସେୟାର ରହିଛି । ବାକି ୬୪.୯୨ ପ୍ରତିଶତ ସେୟାର ଅନିଲ ଅଗ୍ରୱାଲଙ୍କ ବେଦାନ୍ତା ଗ୍ରୁପ ପାଖରେ ରହିଛି ।

ସରକାର ଏହି ୨୯.୫୪ ପ୍ରତିଶତ ଅଂଶଧନ ବିକ୍ରି କରି ୩୬.୫୦୦ କୋଟି ଟଙ୍କା ପାଇବେ ବୋଲି ଆଶା ରଖିଛନ୍ତି । ସରକାରଙ୍କର ଏଭଳି ନିଷ୍ପତ୍ତି ଫଳରେ ବୁଧବାର ଦିନ ହିନ୍ଦୁସ୍ତାନ ଜିଙ୍କର ସେୟାର ୭.୨୮ ପ୍ରତିଶତ ବୃଦ୍ଧି ପାଇଛି ।

ସରକାରଙ୍କର ଏଭଳି ନିଷ୍ପତିକୁ ନେଇ ବେଦାନ୍ତା ଗ୍ରୁପର ଚେୟାରମ୍ୟାନ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି, ସରକାର ଯଦି ତାଙ୍କର ପୂର୍ଣ୍ଣ ସେୟାର ବିକ୍ରି କରିବେ ତେବେ ବେଦାନ୍ତା ଗ୍ରୁପ ସର୍ବାଧିକ ୫ ପ୍ରତିଶତ ସେୟାର କିଣିପାରିବ । ସରକାର ତାଙ୍କ ଭାଗ ବିକ୍ରି କରିବାକୁ ହେଲେ ବଜାରରେ ସେୟାର ବିକ୍ରି କରିବାକୁ ପଡିବ । ଏହାର ଅର୍ଥ ସରକାରଙ୍କୁ ହିନ୍ଦୁସ୍ତାନ ଜିଙ୍କ ନାମରେ ଏଫପିଓ ଆଣିବାକୁ ପଡିବ ବୋଲି ଅନିଲ ଅଗ୍ରୱାଲ କହିଛନ୍ତି ।
କହିରଖୁ କି ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୬୫ ହଜାର କୋଟି ଟଙ୍କା ବିନିଯୋଗର ଲକ୍ଷ୍ୟ ରଖିଛନ୍ତି । ଏହି କାରଣରୁ ଚଳିତ ଆର୍ଥିକ ବର୍ଷରେ ସରକାର ହିନ୍ଦୁସ୍ତାନ ଜିଙ୍କରେ ଥିବା ଭାଗିଦାରୀକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।