ଅନଲକ ୧ରେ ଚାଷୀଙ୍କ ଏମଏସପି ବୃଦ୍ଧି ନେଇ ବଡ ଘୋଷଣା । ଖରିପ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର, ଉଠାଦୋକାନୀ ଓ ଛୋଟ ବ୍ୟବସାୟୀଙ୍କୁ ୧୦ ହଜାର ଋଣ ଯୋଗାଇବା ପାଇଁ ଆରମ୍ଭ ହେଲା ନୂଆ ଯୋଜନା

758

କନକ ବ୍ୟୁରୋ : ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ଆରମ୍ଭରୁ ବଡ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ ଆକଳନ ସମୟରେ ମୌସୁମୀ ଭାରତ ଛୁଇଁଥିବା ବେଳେ ଚାଷୀଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି ମୋଦି ସରକାର । ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି ଏବଂ କୃଷି ଋଣ ପରିଶୋଧ କରିବାର ସମୟ ମଧ୍ୟ ବଢାଇଛନ୍ତି ସରକାର । ଅନ୍ୟପଟେ ଛୋଟ ଦୋକାନୀ ଓ ଠେଲା ବେପାରୀଙ୍କ ପାଇଁ ମଧ୍ୟ ଋଣ ବ୍ୟବସ୍ଥା କରାଯାଇଛି । ଆଜି କେନ୍ଦ୍ର କ୍ୟାବିନେଟ୍ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ବାଜିଛି ମୋହର ।

କେନ୍ଦ୍ର କ୍ୟାବିନେଟ ବୈଠକରେ ଛୋଟ ବ୍ୟବସାୟୀ, ଚାଷୀ ଓ କ୍ଷୁଦ୍ର, ମଧ୍ୟମ ଶିଳ୍ପ ପାଇଁ କେତେକ ବଡ ନିଷ୍ପତି ନେଇଛନ୍ତି । ରାସ୍ତାକଡରେ ଠେଲା ବେପାରୀଙ୍କୁ ବ୍ୟବସାୟରେ ସୁଧାର ଆଣିବା ପାଇଁ କେନ୍ଦ୍ର କ୍ୟାବିନେଟ ଏକ ବଡ ନିଷ୍ପତି ଉପରେ ମୋହର ମାରିଛି । ଏହି ସ୍ୱନିଧୀ ଯୋଜନାରେ ଛୋଟ ଛୋଟ ଦୋକାନୀମାନେ ଲାଭବାନ ହେବେ ବୋଲି ସରକାର ଆକଳନ କରିଛନ୍ତି । ଛୋଟ ଚା-ପାନ ଦୋକାନୀ, ଫଳ ଦୋକାନୀ, ସେଲୁନ, ମୋଚୀ ଆଦି ଏହାର ଲାଭ ପାଇବେ । ସେମାନେ ଏହି ଯୋଜନାରେ ନିଜ ବ୍ୟବସାୟ ବଢାଇବା ପାଇଁ ୧୦ ହଜାର ଟଙ୍କା ଯାଏଁ ଋଣ ନେବାର ବ୍ୟବସ୍ଥା କରାଯାଇଛି ବୋଲି ସରକାର ଘୋଷଣା କରିଛନ୍ତି ।

ସେପଟେ ଚାଷୀଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସ୍ୱଳ୍ପକାଳୀନ କୃଷି ଋଣ ପରିଶୋଧ କରିବା ପାଇଁ ମାର୍ଚ୍ଚ ଶେଷକୁ ଥିବା ସମୟକୁ କେନ୍ଦ୍ର ସରକାର ଦ୍ୱିତୀୟ ଥର ପରିବର୍ତନ କରି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି କରିଛନ୍ତି । ଫଳରେ କୃଷକ ୪ ପ୍ରତିଶତରେ ଏହି ଋଣ ପାଇପାରିବ ବୋଲି ସରକାର ସୂଚନା ଦେଇଛନ୍ତି । ଏହା ସହ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ୫୦ରୁ ୮୩ ପ୍ରତିଶତ ଯାଏଁ ବୃଦ୍ଧି କରିଛନ୍ତି । ଧାନର ଏମଏସପିରେ କ୍ୱିଟାଂଲ ପିଛା ୫୩ ଟଙ୍କା ବଢାଇ ୧, ୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି । ଯଅ ପାଇଁ ଏହା ୨୬୨୦ ଟଙ୍କା ରହିଥିବା ବେଳେ ବାଜରା ପାଇଁ ୨୧୫୦ ଟଙ୍କା ରଖାଯାଇଛି । ସେହିପରି ମାଣ୍ଡିଆ, ମୁଗ, ଚିନାବାଦାମ, ସୋୟାବିନ, ରାଶି, ତୁଳାର ସର୍ବନିମ୍ନ ସହାୟକ ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏମଏସଏମଇ କ୍ଷେତ୍ରରେ ମଧ୍ୟ ବଡ ଧରଣର ଘୋଷଣା କରାଯାଇଛି । ଏହି କ୍ଷେତ୍ରରେ ପରିଭାଷାରେ ପରିବର୍ତନ କରାଯାଇଛି ଏବଂ ରପ୍ତାନୀକୁ ବୃଦ୍ଧି ପାଇଁ ମଧ୍ୟ ପାଇଁ ଏଥିରେ ପଦକ୍ଷେପ ନିଆଯାଇଛି । ଏହା ସହ ଏମଏସଏମଇ କ୍ଷେତ୍ରରେ ସହାୟତା ବୃଦ୍ଧି କରିବା ପାଇଁ ଏକ ୪ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଫଣ୍ଡ ଗଠନ କରାଯାଇଛି । ଏହା କ୍ଷୁଦ୍ର, ମଧ୍ୟମ ଶିଳ୍ପ ସଂସ୍ଥାର ଅଭିବୃଦ୍ଧିରେ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । କରୋନା କଟକଣା ଭିତରେ ଦେଶର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି । ଫଳରେ ଦେଶର ଅର୍ଥନୀତି ନିଜର ଗତି ହରାଇଛି ଏବଂ ଏହାକୁ ସ୍ୱାଭାବିକ ରାସ୍ତାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର ।