ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି: ମେଟ୍ରୋ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୫୯୨୯.୩୮ କୋଟି

429

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ସାଙ୍ଗକୁ ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ହେବ । ସେହିପରି ବ୍ରହ୍ମପୁର ସହରରେ ରିଂ ରୋଡ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ଯାତାୟତ ସୁଗମ ହେବ । ରାଜ୍ୟ କ୍ୟାବିନେଟ ଉକ୍ତ କାର୍ୟ୍ୟ ପାଇଁ ୧୫୬ କୋଟି ୫୧ ଲକ୍ଷ ୫୭ ହଜାର ଟଙ୍କା ଅନୁମୋଦନ କରିଛନ୍ତି । ସେହିପରି ଗଞ୍ଜାମର ଧରାକୋଟ ବ୍ଲକର ଜାନଭିଲି ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯିବ ।

ଏହି ପ୍ରକଳ୍ପ ପାଇଁ ୮୬ କୋଟି ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗଞ୍ଜାମ ଜିଲ୍ଲାର ୫୨.୬୭୫ ହେକ୍ଟର ଜମିକୁ ଜଳସେଚନ ସହ ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିୟନ ଲିଟର ପାନୀୟ ଜଳ ପ୍ରତିଦିନ ଉପଲବ୍ଧ ହେବ । ସେହିପରି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିସୁଳିଆ ପର୍ୟ୍ୟନ୍ତ ନିର୍ମାଣ ପାଇଁ ଅନୁମୋଦନ ହେବ । ଏହି ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ କାର୍ୟ୍ୟ ନିମନ୍ତେ ମୋଟା ୫୯୨୯.୩୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହାକୁ ୪ ବର୍ଷ ମଧ୍ୟରେ ଶେଷ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ।