ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ର ସଂଶୋଧନ ପାଇଁ କ୍ୟାବିନେଟରେ ମଂଜୁରୀ

299

କନକ ବ୍ୟୁରୋ: ଏଣିକି ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିର ବିକ୍ରି ପ୍ରକ୍ରିୟାକୁ ସହଜ କରି ଦେଇଛନ୍ତି ସରକାର । ଏଥିପାଇଁ ମନ୍ଦିର ଅଧିନିୟମରେ ସଂଶୋଧନ କରାଯାଇଛି । ଏହାଫଳରେ ୪୦-୫୦ ବର୍ଷ ଧରି ଜଗନ୍ନାଥଙ୍କ ଜମିରେ ରହୁଥିବା ଲୋକେ ଏଣିକି ସହଜରେ ନିଜ ନାମରେ ରେଜିଷ୍ଟ୍ରି କରାଇ ପାରିବେ ।

ଦୀର୍ଘ ବର୍ଷ ହେବ ଜଗନ୍ନାଥଙ୍କ ଜମିକୁ ନେଇ ଯେଉଁ ବିବାଦ ରହିଥିଲା ତାହା ଏବେ ସମାଧାନ ହୋଇଛି । ଏଥିପାଇଁ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୪କୁ ସଂଶୋଧନ କରିବାକୁ ନିଷ୍ପତି ନେଇଛନ୍ତି । ଏହି ଅଧ୍ୟାଦେଶ ଆସିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର/ ମନ୍ଦିର ପରିଚାଳନା କମିଟି ଅଧିନରେ ଥିବା ସ୍ଥାବର ସମ୍ପତି ବା ଜମିବାଡିରର ମାଲାକାନା ସ୍ୱତ୍ୱ ପରିବର୍ତନ ସହ ସମ୍ପୃକ୍ତ ମାମଲା ଗୁଡିକର ତୁରନ୍ତ ଫଇସଲା ହୋଇପାରିବ ।

ଏହାଫଳରେ ଆଉ ସ୍ଥାବର ସମ୍ପତିକୁ ଅଧିକୃତ ପ୍ରଜାମାନଙ୍କୁ କିମ୍ବା ଅନ୍ୟ ପ୍ରଜାମାନଙ୍କୁ ବିକ୍ରି, ଲିଜ୍ କିମ୍ବା ମଡଗେଜ ପାଇଁ ଆଉ ଦଉଡିବାକୁ ପଡିବ ନାହିଁ । ଅଧ୍ୟାଦେଶ ବଳରେ କ୍ଷମତାପ୍ରାପ୍ତ ଅଧିକାରୀ ଏହାକୁ ସରକାରଙ୍କ ବିନା ଅନୁମୋଦନରେ ହସ୍ତାନ୍ତରିକରଣ କରିପାରିବେ । ତେବେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ଅଧ୍ୟାଦେଶ ଜାରି ହେବା ପରେ ଏହାକୁ ନେଇ ଭିନ୍ନମତ ପ୍ରକାଶ ପାଇଛି । ଅନ୍ୟପଟେ କ୍ୟାବିନେଟର ଏହି ନିଷ୍ପତି ଦ୍ୱାରା ଠାକୁରଙ୍କ ଜମି ଶାଗ ମାଛ ଦରରେ ମାଫିଆଙ୍କ ହାତକୁ ଚାଲିଯିବ ବୋଲି ମତ ପ୍ରକାଶ ପାଇଛି ।