ପରିବା ଫଳାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଉଠୁନି ଅମଳ ଖର୍ଚ୍ଚ, ବିଲରେ ବଡ଼ି ରହିଛି କୋବି ଓ ପନିପରିବା । ଶୀତଳ ଭଣ୍ଡାର ନଥିବାରୁ ଅସହାୟ ସ୍ଥିତି

177

କନକ ବ୍ୟୁରୋ: ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବା ଚାଷୀ । ଅଭାବୀ ବ୍ରିକି ଯୋଗୁଁ ନା’ ମିଳୁଛି ଉଚିତ ପାଉଣା । ନା’ ସାଇତି ରଖିବା ପାଇଁ ରହିଛି ଶୀତଳ ଭଣ୍ଡାର ବ୍ୟବସ୍ଥା । କୋବି ପିଛା ୨ରୁ ୫ ଟଙ୍କାରେ ବିକ୍ରି କରିବା ଅପେକ୍ଷା ବିଲରେ ପରିବା ଉଜାଡ଼ି ଦେଉଛି ଚାଷୀ । ନିଆଳି ଓ ଆଠଗଡ଼ରୁ ଆସିଛି ଚାଷୀ ଦୁର୍ଦ୍ଦଶାର ଏମିତି ଚିନ୍ତାଜନକ କାହାଣୀ ।

କାଗଜର କାହାଣୀ ଓ ବିଲର ବାସ୍ତବତା ଭିତରେ ତାଳମେଳ ନରହିଲେ, ଯେଉଁଭଳି ଚିତ୍ର ସାମ୍ନାକୁ ଆସେ, ତାହା ଦେଖିବାକୁ ଅବିକଳ ଏମିତି । ପରିବା ଫଳାଇ ଚାଷୀ ବିକ୍ରି କରିବା ପାଇଁ ଚାହିଁ ରହିଥାଏ, ଆଉ ପାଉଣା ହିସାବରେ ତା’ ହାତକୁ ଯାହା ଆସେ, ତାହା ମୂଳଖର୍ଚ୍ଚକୁ ମେଣ୍ଟାଇପାରେନି । ନିଆଳି ଓ ଆଠଗଡ଼ର ଚାଷୀ ଏବେ କୋବି ଗୋଟାକ ୨-୩ଟଙ୍କାରେ ବିକ୍ରି କରୁଛନ୍ତି । ଏଥିରେ ଖାଇବେ କେତେ ସଞ୍ଚିବେ କେତେ?

ଝାଳ ବୁହାଇ ଚାଷୀ ଯେଉଁ ପରିଶ୍ରମ କରେ, ତାର ପରିମାଣ ସ୍ୱରୂପ, ଏମିତି ରିପୋର୍ଟ ଆସେ । ୨୦୧୯-୨୦ ଏଚଏପିଆଇଏସ୍’ର ରିପୋର୍ଟ କହୁଛି- ଆଳୁ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର, ବାଇଗଣ ଉତ୍ପାଦନରେ ଦୁଇ ନମ୍ବର, ତରଭୁଜ ଉତ୍ପାଦନରେ ପାଞ୍ଚ ନମ୍ବର, ଫୁଲକୋବି ଓ ବିଲାତି ଉତ୍ପାଦନରେ ରାଜ୍ୟ ୬ନମ୍ବର । ହେଲେ ଏହି ନମ୍ବର ଲାଭ କ’ଣ ଯେତେବେଳେ ଚାଷୀର ହାତ ଖାଲି ।

ପରିବା ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ । ଚାଷୀ, ପରିବା ଉତ୍ପାଦନ କରୁଛନ୍ତି ହେଲେ ଓଡ଼ିଶାରେ ଶୀତଳଭଣ୍ଡାର ଅଭାବ ଯୋଗୁଁ ଉତ୍ପାଦିତ ପରିବା ସଂରକ୍ଷଣ ଅଭାବରୁ ନଷ୍ଟ ହୋଇଯାଉଛି । ଚାଷ ହେଉଛି, ଚାଷୀ ପରିଶ୍ରମ କରୁଛନ୍ତି । ହେଲେ ନାଁ ଖାଉଟି ଲାଭ ପାଉଛି ନା ଚାଷୀ ।

ଏକ ରିପୋର୍ଟ ଅନୁସାରେ…

  • ରାଜ୍ୟର ୩୦ଟି ଜିଲ୍ଲାରୁ ୧୩ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ
  • ରାଜ୍ୟରେ ଥିବା ୧୩୧ଟି ଶୀତଳଭଣ୍ଡାରରୁ ସଚଳ ଅଛି ମାତ୍ର ୪୯
  • ଆଳୁ ମିଶନ ଭଳି କେତେ ମିଶନ କେବଳ ନାରାରେ ରହିଯାଇଛି

ଯାହାର ଫଳ ଭୋଗୁଛନ୍ତି ଚାଷ କରୁଥିବା ଚାଷୀ । ବିରୋଧୀ ବାରମ୍ବାର ଏ ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିଲେ ବି ସରକାରଙ୍କ ପକ୍ଷରୁ ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । ବିରୋଧୀଙ୍କ ଏହି ଅଭିଯୋଗ ଉପରେ ଶାସକ ଦଳର ଉତ୍ତର ଯେତିକି ଗୁରୁ୍ତ୍ୱପୂର୍ଣ୍ଣ, ଚାଷୀଙ୍କ ସମସ୍ୟାର ସମାଧାନ କରିବା ତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଦେଖିବାର କଥା କେବେ ବଦଳୁଛି ଚାଷୀଙ୍କ ଭାଗ୍ୟ?