ନିଆଁ ଡେଉଁଛି ବସ୍ ଜଳୁଛି, କମିବା ବଦଳରେ ବେଶି କୁହୁଳୁଛି ନାଗରିକତା ନିଆଁ । ଆସାମ ପଶ୍ଚିମବଙ୍ଗ ପରେ ଦିଲ୍ଲୀରେ ପ୍ରତିବାଦ

181

କନକ ବ୍ୟୁରୋ: ଦିଲ୍ଲୀ ଡେଇଁଲା ନାଗରିକତା ନିଆଁ । ନାଗରିକତା ଆଇନକୁ ନେଇ ଆସାମରେ ପ୍ରତିବାଦ ଥମି ନଥିବା ବେଳେ ଆଜି ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଉତ୍ତର-ପୂର୍ବ ରାଜ୍ୟ, ଆସାମ ଓ ପଶ୍ଚିମବଙ୍ଗରେ ପ୍ରତିବାଦର ନିଆଁ ବ୍ୟାପି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି ।

ତେବେ ଆଜି ଦକ୍ଷିଣ ଦିଲ୍ଲୀରେ ୩ଟି ବସ୍କୁ ଜାଳି ଦେଇଛନ୍ତି ଉତ୍ୟକ୍ତ ଆନ୍ଦୋଳନକାରୀ । ବିଲକୁ ବିରୋଧ କରି ବସରେ ନିଆଁ ଲଗାଇବା ପରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଥିଲା ବସ । ଦିଲ୍ଲୀରେ ଆନ୍ଦୋଳନକାରୀଙ୍କୁ ଶାନ୍ତିରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ଆନ୍ଦୋଳନ ଓ ଗଣ୍ଡଗୋଳକୁ ଉସକାଉଛି କଂଗ୍ରେସ ।

ସେପଟେ ପଶ୍ଚିମବଙ୍ଗରେ ଉଗ୍ର ହେବାରେ ଲାଗିଛି ଆନ୍ଦୋଳନ । ନାଗରିକତା ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ପଶ୍ଚିମବଙ୍ଗ । ୩ ଦିନ ଧରି ବିକ୍ଷୋଭକାରୀ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଛନ୍ତି । ତେବେ ହିଂସାକାଣ୍ଡ ଅଧିକ ବଢୁଥିବାରୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଇଂଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ପଶ୍ଚିମବଙ୍ଗରେ କୁହୁଳୁଥିବା ନିଆଁ ପଛରେ ମମତା ଦିଦିଙ୍କ ହାତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆନ୍ଦୋଳନକୁ ତୀବ୍ର ନିନ୍ଦା କରି ସେ ନିଜ ଟ୍ୱିଟରରେ ଏହି କଥା ଉଲ୍ଲେଖ କରିଛନ୍ତି ।