ଦିଲ୍ଲୀ ଜଳୁଛି, ଚିନ୍ତା ବଢୁଛି । ହିଂସା ଭିତରେ ମଦ ଦୋକାନରେ ପଶି ୮୦ ଲକ୍ଷ ଟଙ୍କାର ମଦ ଲୁଟିନେଲେ ହିଂସାକାରୀ, ଆସିଲାନି ପୋଲିସ ।

312

କନକ ବ୍ୟୁରୋ : ଦିଲ୍ଲୀରେ ଜଳୁଛି ନାଗରିକତା ଆଇନ ନିଆଁ । ନାଗରିକତା ସଂଶୋଧନ ଆଇନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ତୀବ୍ର ରୂପ ଧାରଣ କରିଛି । ଆଉ ଏହାରି ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏକ ମଦ ଦୋକାନରୁ ପାଖାପାଖି ୮୦ ଲକ୍ଷ ଟଙ୍କାର ବିୟର ଏବଂ ୱାଇନ୍ ଲୁଟି ନେଇଛନ୍ତି ଲୁଟେରା ।

ହିଂସା ଭିତରେ ଲୁଟ୍ । ମଦ ଲୁଟିନେଲେ ଲୁଟେରା । ଗତ ସୋମବାର ଚାନ୍ଦବାଗରେ ଘଟିଥିଲା କିଛି ଏମିତି ଘଟଣା । ମଦ ଦୋକାନର ମ୍ୟାନେଜରଙ୍କ କହିବା ଅନୁଯାୟୀ, ହିଂସାକାରୀମାନେ ହଠାତ ଦୋକାନ ଭିତରକୁ ପଶି ଆସିଥିଲେ ଏବଂ ଭଙ୍ଗାରୁଜା କରିଥିଲେ । କେବଳ ଏତିକି ନୁହେଁ ଦୋକାନ ଭିତରେ ଥିବା ମଦ ମଧ୍ୟ ଲୁଟିନେଇଥିଲେ ଲୁଟେରା । ଯାହାର ମୂଲ୍ୟ ପାଖାପାଖି ୮୦ ଲକ୍ଷ ଟଙ୍କା ହେବ । ହିଂସାକାରୀମାନେ ଅଧିକ ସଂଖ୍ୟାରେ ଥିବାରୁ ଦୋକାନରେ ଥିବା କର୍ମଚାରୀମାନେ ମଧ୍ୟ କିଛି କରିପାରିନଥିଲେ ।

ଭିଡ ଭିତରେ ମଦ ଲୁଟିବା ସହ ସ୍କାନର ମେସିନ୍, ଏଲଇଡି ଟିଭି, ସିସିଟିଭି ସିଷ୍ଟମ, ଦୁଇଟି ଫ୍ରିଜ୍ ମଧ୍ୟ ଭାଙ୍ଗିଦେଇଛନ୍ତି ହିଂସାକାରୀ । ମଦ ଦୋକାନର ମ୍ୟାନେଜରଙ୍କ କହିବା ଅନୁଯାୟୀ, ସେ ପୋଲିସକୁ ସଙ୍ଗେ ସଙ୍ଗେ ଏନେଇ ସୂଚନା ଦେଇଥିଲେ ମଧ୍ୟ, ଘଟଣାସ୍ଥଳରେ ପହଞ୍ଚିନଥିଲା ପୋଲିସ ।