କନକ ବ୍ୟୁରୋ : ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ନିଆଁ । ଗତକାଲି ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଦିଲ୍ଲୀରେ ହିଂସାକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ହିଂସାକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାକୁ ଦେଖିବା ମାତ୍ରେ ଗୁଳିକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଙ୍ଗା ସୃଷ୍ଟିକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଜାରି ହୋଇଛି ।ତେବେ ଏହି ହିଂସାକାଣ୍ଡରେ ୫୬ ପୋଲିସ କର୍ମୀଙ୍କ ସହ ପ୍ରାୟ ୨୦୦ରୁ ଅଧିକ ସାଧାରଣ ଜନତା ଆହତ ହୋଇଛନ୍ତି । ଉତର ପୂର୍ବ ଦିଲ୍ଲୀରେ ଉତେଜନା ଅତି ଉଗ୍ର ରୂପ ଧାରଣ କରିବା ପରେ ଜାଫରାବାଦ, ମୌଜପୁର, ବାବରପୁର ଓ ଚାନ୍ଦ ବାଗରେ କର୍ଫ୍ୟୁ ଲାଗୁ ହୋଇଛି ।

Advertisment

ଉତରପୂର୍ବ ଦିଲ୍ଲୀରେ ପୁରା ଏକମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । ସେହିପରି ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଛି ସିବିଏସଇ । ଆଇନ ଶୃଂଖଳା ରକ୍ଷା ପାଇଁ ଆଇପିଏସ ଏସଏନ ଶ୍ରୀବାସ୍ତବଙ୍କୁ ଆଇନ ଶୃଂଖଳା ରକ୍ଷାର ସ୍ୱତନ୍ତ୍ର କମିଶନର ଭାବେ ନିଯୁକ୍ତ କରାଯାଇଛି । ସେପଟେ ସ୍ଥିତି ନେଇ ଗତକାଲି ୨୪ ଘଂଟା ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତିନି ଥର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ସ୍ଥିତି ପରଖିବା ପାଇଁ ବିଳମ୍ବିତ ରାତି ଯାଏଁ ନିଜ ଗାଡିରେ ବୁଲିବା ସହ ସ୍ଥାନିୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।