ଦିଲ୍ଲୀରେ ଟ୍ରମ୍ପ, ଦିଲ୍ଲୀରେ ଟେନସନ ! ରାଜଧାନୀରେ ରାତ୍ରିଯାପନ କରିବେ ଡୋନାଲ୍ଡ ଟ୍ରମ୍ପ । ସିଏଏ ନିଆଁରେ ୨ ଜଣଙ୍କ ଜୀବନ ଯିବା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ ।

688

କନକ ବ୍ୟୁରୋ: ଆଜି ଦିନ ତମାମ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭରତଗସ୍ତ ଏବଂ ତାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସାରା ଦେଶର ନଜର ରହିଥିବା ବେଳେ ଦିଲ୍ଲୀରୁ ଆସିଛି ଭୟଙ୍କର ଖବର । ଗୋଟିଏ ପଟେ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଦିଲ୍ଲୀରୁ ଗୁଜୁରାଟ ଚଳଚଞ୍ଚଳ ଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ଲାଗିଛି ନିଆଁ । ପାଖାପାଖି ୨ ମାସ ପରେ ପୁଣି ଫେରିଛି ନାଗରିକତା ବିରୋଧୀ ନିଆଁ । ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରତିବାଦ ହିଂସା ସୃଷ୍ଟି ହୋଇଛି । ଆଉ ଏହି ହିଂସାରେ ଦୁଇ ଜଣଙ୍କ ଜୀବନ ଯାଇଛି । ଆଜି ସିଏଏକୁ ବିରୋଧ ଉଗ୍ରରୂପ ଧାରଣ କରିଥିବା ବେଳେ ଏଥିରେ ଜଣେ ପୁଲିସ କର୍ମଚାରୀଙ୍କ ସହ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଯେତେବେଳେ ରାଜଧାନୀ ଦିଲ୍ଲୀରେ ଆମେରିକା ରାଷ୍ଟ୍ରପତି ରାତ୍ରିଯାପନ କରୁଛନ୍ତି ଆଉ ଆସନ୍ତାକାଲି ଦେଶର ରାଜଧାନୀରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଛି, ଠିକ ସେତିକିବେଳେ ଦିଲ୍ଲୀରୁ ଆସୁଛି ଆଇନଶୃଙ୍ଖଳାର ଏକ ଭୟଙ୍କର ଚିତ୍ର । ନାଗରିକତା ସଂଶୋଧନ ଆଇନକୁ ନେଇ ଜଳୁଛି ଦେଶର ରାଜଧାନୀ । ନାଗରିକତା ସଂଶୋଧନ ବିଲ ବିରୋଧରେ ଦିଲ୍ଲୀ ମୌଜପୁରୀରେ ହିଂସା ଦେଖା ଦେଇଛି ।

ନାଗରିକତା ସଂଶୋଧନ ଆଇନ ବିରୋଧରେ ଓ ସପକ୍ଷରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରେ ସ୍ଥିତି ବିଗିଡିବାକୁ ଲାଗିଥିଲା ଏବଂ ଉଭୟଗୋଷ୍ଠୀ ପରସ୍ପର ଉପରେ ପଥର ମାଡ କରିଥିଲେ । ଏହି ସମୟରେ ଗୁଳି ଚାଳନା ମଧ୍ୟ ହୋଇଥିବା ଜଣାପଡିଛି । ୩ରୁ ୪ ଘଂଟା ଧରି ହିଂସା ପ୍ରଦର୍ଶନ ଚାଲିଥିଲା । ଏପରିକି ପୋଲିସ ଉପରକୁ ବି ପଥର ମାଡ କରିବା ସହ ୧୦ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଚାନ୍ଦବାଗ ଅଂଚଳରେ ବି ବିକ୍ଷୋଭ ବେଳେ ବିକ୍ଷୋଭକାରୀ କେତେକ ଗାଡିରେ ଏବଂ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।

ମୁହାଁମୁହିଁ ପରିସ୍ଥିତି ସମୟରେ ଗୁଳି ମାଡରେ ଜଣେ କନଷ୍ଟେବଳଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଆଉ ଜଣେ ସାଧାରଣ ଲୋକ ବି ପ୍ରାଣ ହରାଇଛନ୍ତି । ଏହାସହ ଜଣେ ଡିସିପିଙ୍କ ସହ ମୋଟ ୩୭ ଜଣ ପୋଲିସ ଆହତ ହୋଇଛନ୍ତି । ଆଜି ସକାଳୁ ଦିଲ୍ଲୀ ଯୁଗ୍ମ ପୋଲିସ କମିଶନର ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ପରେ ସ୍ଥିତିକୁ ଆୟତ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା ।

ତେବେ ଏବେବି ଉତ୍ତରପୂର୍ବ ଦିଲ୍ଲୀରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦିଲ୍ଲୀରେ ଆମେରିକା ରାଷ୍ଟ୍ରପତି ଡେନାଲଡ ଟ୍ରମ୍ପ ଥିବାରୁ ସୁରକ୍ଷାକୁ କଡାକଡି କରାଯାଇଛି । ୬ଟି ଜିଲ୍ଲାର ପୁଲିସ ସହ ସିଆରପିଏଫ ଓ ଏନଏସଜି କମାଣ୍ଡୋ ଦିଲ୍ଲୀରେ ମୁତୟନ ଅଛନ୍ତି । ହେଲେ ଏହାରି ଭିତରେ ଦିଲ୍ଲୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ଆଇନଶୃଙ୍ଖଳା । ବର୍ତ୍ତମାନ ବି ସିଏଏକୁ ନେଇ ଉତ୍ତେଜନା ଲାଗି ରହିଛି । ଆଉ ହିଂସାରେ ଦୁଇ ଜଣଙ୍କ ଜୀବନ ଯିବା ପରେ ଦିଲ୍ଲୀର ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଛିଡା ହୋଇଛି । ସେପଟେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ପୋଲିସ ଓ ଦିଲ୍ଲୀ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ । ଏହାସହ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ।