କନକ ବ୍ୟୁରୋ: ନାଗରିକତା ଆଇନକୁ ନେଇ ସାରାଦେଶରେ ଜଳୁଛି ହିଂସାର ନିଆଁ । ଉତରପ୍ରଦେଶରେ ସ୍ଥିତି ଏବେ ଅଣାୟତ ହୋଇଛି । ସ୍ଥିତିକୁ ଆଖିରେ ରଖି ୟୁପିର ହିଂସାଗ୍ରସ୍ତ ସହରରେ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ଯୋଗୀ ସରକାର । ଗତକାଲି ଗୋଟିଏ ଦିନରେ ଉତରପ୍ରଦେଶରେ ଜଣେ ୮ବର୍ଷର ନାବାଳକଙ୍କ ସମେତ ମୋଟ୍ ୯ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତିବାଦ ଯୋଗୁଁ ହେଉଥିବା ହିଂସା, ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଦଳାଚକଟା କାରଣରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଉତରପ୍ରଦେଶ ପୁଲିସ୍ ଡିଜି ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା ସାରା ଦେଶରେ ନାଗରିକତା ଆଇନ୍ ଓ ଏନ୍ଆର୍ସିକୁ ବିରୋଧ କରି ହେଉଥିବା ପ୍ରତିବାଦ କାରଣରୁ ମୋଟ୍ ୧୭ ଜଣଙ୍କର ଜୀବନ ଯାଇଛି ।
ଗତକାଲି ଉତରପ୍ରଦେଶର ମିରଟରେ ୩ ଜଣ, ବିଜନୋରରେ ୨ଜଣ, ବାରଣାସୀ, ଫିରୋଜାବାଦ, ସମ୍ଭଲ୍ ଏବଂ କାନପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ୮ବର୍ଷର ନାବାଳକ ମଧ୍ୟ ଅଛନ୍ତି । ସେହିପରି ଉତରପ୍ରଦେଶରେ ମୋଟ୍ ୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଏହା ପୂର୍ବରୁ ଲକ୍ଷେ୍ନøରେ ଜଣେ ଏବଂ କର୍ଣ୍ଣାଟକର ମାଙ୍ଗାଲେରରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଆସାମ ବିକ୍ଷୋଭ ବେଳେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ନାଗରିକତା ଆଇନକୁ ନେଇ ଚାଲିଥିବା ପ୍ରତିବାଦ କାରଣରୁ ଉତରପ୍ରଦେଶରେ ବର୍ତମାନ ସୁଦ୍ଧା ୩ ହଜାର ୩୦୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୦ ଜଣଙ୍କୁ ସୁରକ୍ଷା ଦୃଷ୍ଟିରୁ ହେପାଜତକୁ ନେଇଛି ପୁଲିସ୍ ।
Bihar: RJD (Rashtriya Janata Dal) workers hold protest in Darbhanga. RJD has called a bandh in Bihar today against the #CitizenshipAmendmentAct. pic.twitter.com/sQIKBoRQuD
— ANI (@ANI) December 21, 2019
ସେହିଭଳି ଉତରପ୍ରଦେଶରେ ଗତକାଲି ହିଂସାତ୍ମକ ଆନ୍ଦୋଳନ ପରେ ଆଜି ବିହାରରେ ନାଗରିକତା ନିଆଁ ଦେଖିବାକୁ ମିଳିଛି । ନାଗରିକତା ସଂଶୋଧନ ଆଇନ ବିରୋଧରେ ବିହାର ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ଜନତା ଦଳ । ବିହାରର ଦରଭଙ୍ଗା ଓ ବୈଶାଳୀରେ ରାସ୍ତାରୋକ କରିଛନ୍ତି ବିକ୍ଷୋଭକାରୀ । ବୈଶାଳୀରେ ଆରଜେଡି କର୍ମୀ ଅଭିନବ ଢଙ୍ଗରେ ସିଏଏକୁ ବିରୋଧ କରିଛନ୍ତି । ରାସ୍ତା ଉପରେ ବହୁ ମଇଁଷିଙ୍କୁ ଛିଡା କରାଇ ରାସ୍ତାଅବରୋଧ କରିଛନ୍ତି ଆରଜେଡି କର୍ମୀ । ମଇଁଷି ଶିଙ୍ଗରେ ସିଏଏ ବିରୋଧୀ ସ୍ଲୋଗାନ ଲେଖାଥିବା ପୋଷ୍ଟର ବନ୍ଧାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଦରଭଙ୍ଗାରେ ଖୋଲା ଦେହରେ ରାସ୍ତାକୁ ଓହ୍ଲାଇଛନ୍ତି ଆରଜେଡି ସମର୍ଥକ । ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମୋଦି ସରକାର ବିରୋଧରେ ନାରାବାଜି କରୁଛନ୍ତି ।
ଏପଟେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଓଡିଶାରେ ବି ପ୍ରତିବାଦ । ବାଲେଶ୍ୱର ଜଳେଶ୍ୱରେ ସିଏଏ ଓ ଏନଆରସିକୁ ବିରୋଧ କରି ମୁସଲିମ ସଂପ୍ରଦାୟ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରିଛି । । ଗେରେଜ ବଜାର ଠାରୁ ଆରମ୍ଭ କରି ଜଳେଶ୍ୱର ତହସିଲ ପର୍ଯ୍ୟନ୍ତ ରାଲି ବାହାରିଥିଲା । ପ୍ରାୟ ୨ ହଜାର ଅଧିକ ମହିଳା ଓ ପୁରୁଷ ଏହି ରାଲିରେ ଯୋଗଦେଇଥିଲେ । ଜଳେଶ୍ୱର ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେହିପରି କାକଟପୁରରେ ସିଏଏ ଓ ଏନଆରସିକୁ ବିରୋଧ ରି ହଜାର ହଜାର ମୁସଲିମ ରାଲି କରିଛନ୍ତି ।