ନିର୍ବାଚନ ପୂର୍ବରୁ କେରଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ଜୋର ଧରୁଛି ରାଜନୀତି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଲେ ଲାଗୁ ହେବନାହିଁ ସିଏଏ

103

କନକ ବ୍ୟୁରୋ : କରୋନା ଟିକାକରଣ ପରେ ଦେଶରେ ସିଏଏ ଲାଗୁହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିବା ପରେ କେରଳରେ ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଏବେ ଦେଶରେ ଗୋଟିଏ ମାତ୍ର ବାମସରକାର ଥିବା କେରଳର ମୁଖ୍ୟମନ୍ତ୍ରୀ ଏନେଇ ଜବାବ୍ ରଖିଛନ୍ତି । ସେ କହିଛନ୍ତି କି କେରଳରେ କୌଣସି ପରିସ୍ଥିତିରେ ସିଏଏ ଲାଗୁ ହୋଇ ପାରିବ ନାହିଁ । ଗୃହମନ୍ତ୍ରୀ ସିଏଏ ଲାଗୁ କରିବା ନେଇ କହିବାର ଗୋଟିଏ ଦିନ ପରେ ପିନାରାୟୀ ବିଜୟନଙ୍କ ଏଭଳି ବୟାନ ଏବେ ଦେଶର ରାଜନୀତିକୁ ବେସ୍ ସରଗରମ କରିଛି ।

କହିରଖୁ କି ଚଳିତ ବର୍ଷ କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ କେରଳ ବାମଫଣ୍ଟ ସରକାର ଭୋଟ ବ୍ୟାଙ୍କ ମଜଭୁତ କରିବା ନେଇ ବିଭିନ୍ନ ସ୍ଥାନରେ ରାଲି ଓ ଜନସଭା ମାନ କରିବାରେ ଲାଗିଛି । ଏହି କ୍ରମରେ କସରଗୋଡରୁ ଏକ ରାଲି ବାହାରିବାର ଥିଲା । ସେଠାରେ ଉପସ୍ଥିତ ଥିଲେ ସିପିଆଇ(ଏମ୍) ର ରାଜ୍ୟ ସଚିବ ବିଜୟ ରାଘବନ । ଏହି ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବାକୁ ସେଠାରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ପିନାୟରାୟୀ ବିଜୟନ । ସେହିଠାରେ ହିଁ ବିଜୟନ କହିଛନ୍ତି କି ସିଏଏ ନେଇ ରାଜ୍ୟ ସରକାର ତାଙ୍କ ସ୍ପଷ୍ଟ ମତ ଜଣାଇଛନ୍ତି, ତାହା ରାଜ୍ୟରେ ସିଏଏ ଲାଗୁ କରାନଯିବା ନେଇ ନିଷ୍ପତ୍ତି ହୋଇଛି ।

କହିରଖୁ କି ଚଳିତ ବର୍ଷ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ହେଲେ ନିର୍ବାଚନ ପୂର୍ବରୁ ପୁଣିଥରେ ବିଜେପି ସିଏଏ କାର୍ଡ ଖେଳିବାକୁ ଚାହୁଁଥିବା ବେଳେ ପ୍ରଥମ ରାଜ୍ୟ ଭାବେ କେରଳ ସରକାର ତାଙ୍କ ରାଜ୍ୟରେ ସିଏଏ ଲାଗୁ ନ କରିବା ନେଇ ସ୍ପଷ୍ଟ କରିଛନ୍ତି ।