ଆଜିଠାରୁ ଦେଶରେ ଲାଗୁ ହୋଇପାରେ ନାଗରିକତା ସଂଶୋଧନ ବିଧେୟକ । କେନ୍ଦ୍ର ସରକାର ଜାରି କରିପାରନ୍ତି ବିଜ୍ଞପ୍ତି

166

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ ନେଇ କିଛିଦିନ ମଧ୍ୟରେ ତାରିଖ ଘୋଷଣା ହେବ । ହେଲେ ଏହି ସମୟରେ କେନ୍ଦ୍ର ସରକାର ନାଗରିକ ସଂଶୋଧନ ଆଇନ ଲାଗୁ କରିବାକୁ ଯାଉଛନ୍ତି । ସୂତ୍ର ସୂଚନା ମୁତାବକ ସୋମବାର ରାତିରେ କେନ୍ଦ୍ର ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇପାରେ । କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବା ପରେ ଆଜିଠାରୁ ଦେଶରେ ନାଗରିକ ସଂଶୋଧନ ବିଧେୟକ ଲାଗୁ ହେବ । ନାଗରିକ ସଂଶୋଧନ ବିଧେୟକ ବା ସିଏଏ ୫ ବର୍ଷ ତଳୁ ସଂସଦରେ ପାରିତ ହୋଇସାରିଛି    । ଏବେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ସିଏଏ ଲାଗୁ କରିପାରନ୍ତି ।

କିଛିଦିନ ତଳେ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହା ନାଗରିକ ସଂଶୋଧନ ବିଲ୍ ଲାଗୁ ନେଇ ସ୍ପଷ୍ଟ କରିଥିଲେ । ସେ ଘୋଷଣା କରିଥିଲେ କି, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ । ସୂତ୍ର ସୂଚନା ମୁତାବକ ଗୃହମନ୍ତ୍ରଣାଳୟ ତରଫରୁ ଏହି ଆଇନ ଲାଗୁ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି କେବଳ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ରହିଛି ।

୨୦୧୯ ମସିହାରେ କେନ୍ଦ୍ର ସରକାର ନାଗରିକତା ଆଇନର ସଂଶୋଧନ କରିଥିଲେ । ଏଥିରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଆସିଥିବା ଅଳ୍ପସଂଖ୍ୟକ (ହିନ୍ଦୁ, ଇସାଇ, ସିଖ୍ଳ ଜୈନ, ବୌଦ୍ଧ ଓ ପାରସୀ)ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାର ପ୍ରାବଧାନ ରହିଛି । ନିୟମ ମୁତାବକ ନାଗରିକତା ପ୍ରଦାନ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ହାତରେ ରହିଛି ।