ସାରାଦେଶରେ ଲାଗୁ ହେଲା CAA । ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । ଶରଣାର୍ଥୀଙ୍କୁ ମିଳିବ ନାଗରିକତା

2,055

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଆଉ ଏକ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଆଜିଠାରୁ ଲାଗୁ ହୋଇଛି CAA ବା ନାଗରିକତା ସଂଶୋଧନ ଆଇନ । ଏ ନେଇ ଆଜି ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଆଇନ ଲାଗୁ ହେଲେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁୁ ଭାରତର ନାଗରିକ ହୋଇପାରିବେ । ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ ।

ତେବେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ଘୋଷଣାପତ୍ରରେ ସାମିଲ କରିଥିଲା ବିଜେପି । ଏହାକୁ ଦଳ ବଡ ପ୍ରସଙ୍ଗ କରିଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ । ଆଉ ଏଥିଲାଗି କେନ୍ଦ୍ର ସରକାର ବିଜ୍ଞପ୍ତି ଆଣି ସିଏଏ ଲାଗୁ କରିଛନ୍ତି । ନାଗରିକତା ସଂଶୋଧନ ଆଇନରେ ମୁସଲମାନଙ୍କୁ ବାଦ ଦେଲେ ୩ ମୁସଲମାନ ବହୁଳ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆସିଥିବା ସଂଖ୍ୟାଲଘୁୁ ଭାରତୀୟ ନାଗରିକ ହୋଇପାରିବେ । ଏଥିପାଇଁ ୧୯୫୫ର ଆଇନର ସଂଶୋଧନ କରାଯାଇଛି । ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ଶରଣାର୍ଥୀ ଆସିଛନ୍ତି ସେମାନେ ଭାରତୀୟ ନାଗରିକ ହୋଇପାରିବେ ।

CAAରେ କଣ ରହିଛି ?

  • ଆଇନ୍ ଆଧାରରେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ଭାରତୀୟ ନାଗରିକତା
  • ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ୬ ସଂଖ୍ୟାଲଘୁ ହୋଇପାରିବେ ଭାରତୀୟ ନାଗରିକ
  • ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ମିଳିବ ନାଗରିକତା
  • ସିଏଏ ସମ୍ବନ୍ଧିତ ଏକ ୱେବ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ
  • ୩ ଦେଶରୁ ଆସିଥିବା ମୁସଲମାନଙ୍କୁ ଏହି ସୁବିଧା ଦିଆଯିବ ନାହିଁ
  • ସରକାରୀ ଯାଞ୍ଚ ପରେ ସେମାନଙ୍କୁ ଆଇନ୍ ଅନୁସାରେ ନାଗରିକତା ପ୍ରଦାନ କରାଯିବ
  • ଆବେଦନ ବେଳେ ଆବଶ୍ୟକ ନାହିଁ କୌଣସି ଦସ୍ତାବିଜ
  • ୨୦୧୪ ପୂର୍ବରୁ ଭାରତ ଆସିଥିବା ଏହି ତିନି ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା
  • ବିନା ଦସ୍ତାବିଜରେ ଭାରତରେ ପ୍ରବାସୀଙ୍କ ରହଣୀକୁ ବେଆଇନ୍ କୁହାଯିବ
  • ୨୦୧୯, ଡିସେମ୍ବର ୧୧ ତାରିଖରେ ସଂସଦରେ ପାରିତ ହୋଇଥିଲା ସିଏଏ
  • ସପକ୍ଷରେ ୧୨୫ ଭୋଟ୍ ଏବଂ ବିପକ୍ଷରେ ପଡ଼ିଥିଲା ୧୦୫ ଭୋଟ୍