କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଖବର । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବେ ବୋଲି ସୂଚନା ମିଳିଛି। ଗୃହ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ଏହି ଆଇନର ନିୟମାବଳୀ କାର୍ୟ୍ୟକାରୀ ହେବ। ଜାନୁଆରୀ କିମ୍ବା ଫେବୃଆରୀରେ ସିଏଏ ନିୟମ ଲାଗୁ ହେବାର ସମ୍ଭାବନା ରହିଛି ।
ଏଥିପାଇଁ ଏକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ପଡୋଶୀ ଦେଶରୁ ଆସୁଥିବା ପ୍ରବାସୀଙ୍କୁ କେବଳ ପୋର୍ଟାଲରେ ଅନଲାଇନ ଆବେଦନ କରିବାକୁ ପଡିବ ଏବଂ ଗୃହ ମନ୍ତ୍ରଣାଳୟ ଏହାକୁ ଯାଞ୍ଚ କରିବ ଏବଂ ନାଗରିକତା ପ୍ରଦାନ କରିବ । ସୂଚନାଯୋଗ୍ୟ, ନାଗରିକତା ଦେବାର ଅଧିକାର ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ପାଖରେ ରହିଛି।

Advertisment

କ’ଣ ଏହି ସିଏଏ?
ସିଏଏ ଆଇନ୍ ଅନୁସାରେ, ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଦେଶକୁ ଆସିଥିବା ୬ ଜଣ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଓ ପାର୍ସୀ)ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏଥିପାଇଁ ଏହି ୩ ଦେଶର ବିସ୍ଥାପିତ ଲୋକଙ୍କୁ କୌଣସି ଦସ୍ତାବିଜ୍ ଦେବାକୁ ପଡ଼ିବ ନାହିଁ।

ଡିସେମ୍ବର ୨୦୧୯ରେ ସଂସଦରେ ଏହି ବିଲକୁ ଅନୁମୋଦନ ମିଳିଥିଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିରୋଧ ହୋଇଥିଲା। ସିଏଏକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନେକ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିଥିଲେ। ସେତେବେଳେ କେନ୍ଦ୍ର ସରକାର ଏହାକୁ କାର୍ୟ୍ୟକାରୀ କରିବାକୁ ମନ ସ୍ଥିର କରିଥିଲେ ମଧ୍ୟ କରୋନା କାରଣରୁ ଏହା ବିଳମ୍ବିତ ହୋଇଥିଲା।