ନିର୍ବାଚନ ପୂର୍ବରୁ ୫ ରାଜ୍ୟରୁ ଆସିଲା ‘ସି ଭୋଟର ସଭେ’ ରିପୋର୍ଟ, ଜାଣନ୍ତୁ କେଉଁଠି କାହାର ପଲ୍ଲା ଭାରି

386

କନକ ବ୍ୟୁରୋ : ୨୦୨୨ ଆରମ୍ଭରେ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ରାଜ୍ୟମାନଙ୍କ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ । ନିର୍ବାଚନକୁ ଅନେକ ଦିନ ବାକିଥିବା ବେଳେ ଏହି ରାଜ୍ୟମାନଙ୍କରେ ରାଜନୈତିକ ସରଗରମ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଦଳର କେନ୍ଦ୍ରୀୟ ନେତା ଓ ଆଞ୍ଚଳିକ ଦଳର ସ୍ଥାନୀୟ ନେତାମାନେ ଏବେଠାରୁ ଗଡ ଜଗିବା ଆରମ୍ଭ କରିଛନ୍ତି । ନିର୍ବାଚନ ପୂର୍ବରୁ ଶାସନ କ୍ଷମତାରେ ଥିବା ଦଳମାନେ ଲୋକମାନଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରୁଥିବା ବେଳେ କ୍ଷମତା ବାହାରେ ଥିବା ଦଳମାନେ ଲୋକମାନଙ୍କୁ ପ୍ରତିଶ୍ରୁତିର ପାହାଡ ଉପରେ ଠିଆ କରାଇବାରେ ଲାଗିଛନ୍ତି । ବିଜେପିରୁ ନେଇ କଂଗ୍ରେସ ଓ ଆପରୁ ନେଇ ଏସପି ଏବଂ ବିଏସପି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ବଳ ପ୍ରୟୋଗ କରିବାରେ ଲାଗିଛନ୍ତି । ଏହା ବ୍ୟତୀତ ସମସ୍ତ ଅଞ୍ଚଳିକ ଦଳମାନେ ବି ନିର୍ବାଚନୀ ଦୌଡରେ ପଛରେ ପଡି ନାହାଁନ୍ତି । ଏହାରି ମଧ୍ୟରେ ସବୁଠାରୁ ବଡ ସେର୍ଭେ କୁହାଯାଉଥିବା ଏବିପି ସି ଭୋଟର ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି ।

ସି ଭୋଟର ସେର୍ଭ ମୁତାବକ ନିର୍ବାଚନ ହେବାକୁ ଥିବା ସବୁଠାରୁ ବଡ ରାଜ୍ୟ ୟୁପିରେ ପୁଣି ବିଜେପି ସରକାର କରିବ ବୋଲି ଅନୁମାନ କରାଯାଇଛି । ୟୁପିରେ ମୋଟ ବିଧାନସଭା ଆସନ ସଂଖ୍ୟା ୪୦୩ ହୋଇଥିବା ବେଳେ ଶାସକ ବିଜେପିକୁ ୨୧୩-୨୨୧, ସମାଜବାଦୀ ପାର୍ଟିକୁ ୧୫୨-୧୬୦, ବହୁଜନ ସମାଜବାଦୀ ପାର୍ଟିକୁ ୧୬-୨୦, କଂଗ୍ରେସକୁ ୬-୧୦ ଓ ଅନ୍ୟାନ୍ୟ ଦଳମାନଙ୍କୁ ୨-୬ ଟି ଆସନ ମିଳିପାରେ ।

ସେହିଭଳି ପଞ୍ଜାବରେ ମୋଟ ଆସନ ସଂଖ୍ୟା ୧୧୭ ହୋଇଥିବା ବେଳେ ଶାସକ କଂଗ୍ରେସକୁ ୪୨-୫୦, ଅକାଳୀ ଦଳକୁ ୧୬-୨୪,ଆମ ଆଦମୀ ପାର୍ଟିକୁ ୪୭-୫୩, ବିଜେପିକୁ ୦-୧ ଓ ଅନ୍ୟାନ୍ୟ ଦଳମାନଙ୍କୁ ୦-୧ ଆସନ ମିଳିବ ବୋଲି ଲୋକମତରୁ ଅନୁମାନ କରାଯାଇଛି ।

ଉତ୍ତରାଖଣ୍ଡରେ ମୋଟ ଆସନ ୭୦ ହୋଇଥିବା ବେଳେ କଂଗ୍ରେସକୁ ୩୦-୩୪, ବିଜେପିକୁ ୩୬-୪୦, ଆପକୁ ୦-୨ ଓ ଅନ୍ୟ ଦଳମାନଙ୍କୁ ୦-୧ ଆସନ ମିଳିବା ନେଇ ଅନୁମାନ କରାଯାଉଛି ।

ଗୋଆରେ ମୋଟ ଆସନ ସଂଖ୍ୟା ୪୦ ହୋଇଥିବା ବେଳେ ଏଠାରେ ବିଜେପିକୁ ୧୯-୨୩, କଂଗ୍ରେସକୁ ୨-୬, ଆପକୁ ୩-୭ ଓ ଅନ୍ୟାନ୍ୟ ଦଳମାନଙ୍କୁ ୮-୧୨ ଆସନ ମିଳିପାରେ ।

ମଣିପୁରରେ ମୋଟ ଆସନ ସଂଖ୍ୟା ୬୦ । ଏଠାରେ ବିଜେପିକୁ ୨୫-୨୯,କଂଗ୍ରେସକୁ ୨୦-୨୪,ଏନପିଏଫକୁ ୪-୮ ଓ ଅନ୍ୟାନ୍ୟ ଦଳମାନଙ୍କୁ ୩-୭ ଟି ଆସନ ମଳିପାରେ ।