ସର୍ଭେର ସଂକେତ । କିଏ ରହିବ ଫାଇଦାରେ, କିଏ ପଡିବ ଘାଟାରେ

୨୦୧୯ରେ କିଏ ମାରିବ ବାଜି? ଗୋଟିଏ ମାସରେ ଆସିଥିବା ଦୁଇ ଦୁଇଟି ସର୍ଭେ ରିପୋର୍ଟ ପକାଉଛି ଦ୍ୱନ୍ଦରେ । ନିର୍ବାଚନକୁ ଆହୁରି ୬ ମାସ ବାକି ଥିବା କଣ ହେବ ଫଳାଫଳ ତାହା ଉପରେ ରହିଛି ଭୋଟରଙ୍କ ନଜର

256

କନକ ବ୍ୟୁରୋ : ସି-ଭୋଟର ସର୍ଭେ ରିର୍ପୋଟକୁ ନେଇ ଏବେ ରାଜ୍ୟରେ ଜୋରଦାର ଚର୍ଚ୍ଚା । ଏହି ସର୍ଭେ ରିପୋର୍ଟ ଆସିବା ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ କଭି ଖୁସି କଭି ଗମ ସ୍ଥିତି ସୃଷ୍ଟି କରିଛି । ଏକଥା ଏଥିପାଇଁ କୁହାଯାଉଛି କାରଣ ସି-ଭୋଟର ପକ୍ଷରୁ ଲୋକସଭା ଆସନକୁ ନେଇ ଯେଉଁ ସର୍ଭେ କରାଯାଇଥିଲା ତାହାର ରିପୋର୍ଟ ଆସିବା ପରେ ବିଜେପି ଖୁସିରେ ଆତ୍ମହରା ହୋଇଯାଇଛି । ସେହିଭଳି ବିଜେଡିକୁ ଲାଗିଛି ବଡ ଝଟକା । ଅନ୍ୟପଟେ କଂଗ୍ରେସ ପାଇଁ ଓଡିଶାରେ ଖାତା ଖୋଲିବାର ସମ୍ଭାବନା ଦେଖାଦେଇଛି ।

ସି-ଭୋଟର ସର୍ଭେ ରିପୋର୍ଟରେ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୨ଟି ଆସନରେ ବିଜେପି, ୬ଟିରେ ବିଜେଡି ଓ ୩ଟି ଆସନରେ କଂଗ୍ରେସ ବିଜୟୀ ହେବେ ବୋଲି ଆକଳନ କରାଯାଇଛି । ଯଦି ଏଭଳି ସ୍ଥିତି ଉପୁଜେ ତେବେ ବିଜେପି ଅଧିକ ଲାଭରେ ରହିବାକୁ ଥିବା ବେଳେ ଅଧିକ ଘାଟାରେ ପଡିବ ବିଜେଡି । କାରଣ ୨୦୧୪ରେ ବିଜେଡି ୨୦ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ଗୋଟିଏରେ ସନ୍ତୁଷ୍ଟ ହୋଇଥିଲା । ଆଉ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇନଥିଲା । କିନ୍ତୁ ସି-ଭୋଟର ସର୍ଭେ ରିପୋର୍ଟ ଉପରେ ଯଦି ନଜର ପକାଇବା ତେବେ ୨୦୧୯ରେ ବିଜେଡି ୧୪ଟି ଆସନ ହରାଇବ । ସେହିଭଳି ବିଜେପି ୨୦୧୪ ତୁଳନାରେ ୧୧ଟି ଆସନ ଅଧିକ ପାଇବ । ଆଉ କଂଗ୍ରେସ ୩ଟି ଆସନ ଅକ୍ତିଆର କରିବ । ଆଉ ଏଭଳି ସମୀକରଣ ସାମ୍ନାକୁ ଆସିବା ପରେ ଏବେ ରାଜନୈତିକ ପାରା ବଢିଯାଇଛି ।

ଆଉ ଏହି ସର୍ଭେ ରିପୋର୍ଟ ଆସିବା ପରେ ଶୁଖିଯାଇଥିବା ରାଜ୍ୟ ବିଜେପି ମୁହଁରେ ପୁଣିଥରେ ହସ ଫେରିଛି । କାରଣ ଏହା ପୂର୍ବରୁ ଇଣ୍ଡିଆ ଟୁଡେର ପଲଟିକାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପି ରାଜ୍ୟରେ ସେହିଭଳିଆ ଆଖିଦୃଶିଆ ପ୍ରଦର୍ଶନ କରିପାରିବ ନାହିଁ ବୋଲି କୁହାଯାଇଥିଲା । ଏପରିକି ନବୀନଙ୍କ ଲୋକପ୍ରିୟତା ଆଗରେ ଅନ୍ୟ ଦଳ ଗୁଡିକ ଫେଲ ମାରିବ ବୋଲି କୁହାଯାଇଥିଲା । ନବୀନ ପୁଣିଥରେ ସରକାର ଗଢିବେ ଓ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି କୁହାଯାଇଥିଲା । ଏପରିକି ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୫୯ ପ୍ରତିଶତ ଲୋକ ପୁଣିଥରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି ବୋଲି କୁହାଯାଇଥିଲା ।

ଆଉ ଏହି ସର୍ଭେ ରିପୋର୍ଟ ଆସିବା ପରେ ମୋଦି-ଶାହା ଓଡିଶା ଦଖଲ କରିବାକୁ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହାକୁ ଶକ୍ତ ଝଟକା ଲାଗିଥିଲା । କିନ୍ତୁ ବିଜେଡି ଶିବିରରେ ଉତ୍ସାହ ଖେଳିଯାଇଥିଲା । କିନ୍ତୁ ଗୋଟିଏ ମାସ ମଧ୍ୟରେ ସି-ଭୋଟର ସର୍ଭେ ରିପୋର୍ଟ ଆସିବା ପରେ ବିଜେପି ପୋଖରୀରେ ପଦ୍ମ ଫୁଟିବ ବୋଲି ଆଶା ବାନ୍ଧିଛନ୍ତି ଦଳୀୟ ନେତା । ସେହିଭଳି ୨୦୧୪ରେ ଡକରେ ଆଉଟ ହୋଇଥିବା କଂଗ୍ରେସ ଏଥର ରାଜ୍ୟରେ ଖାତା ଖୋଲିବ ବୋଲି ସର୍ଭେରେ ଆକଳନ କରାଯାଇଛି । ଏହାଛଡା ସି-ଭୋଟର ପକ୍ଷରୁ ସେପଟେମ୍ବର ମାସରେ ଏକା ଧରଣର ସର୍ଭେ କରାଯାଇଥିଲା । ଆଉ ଏଥିରେ ବିଜେପି ଗୋଟିଏ ଆସନରେ ଅଧିକା ଥିଲା । ତେଣୁ ମାସ ପରିବର୍ତ୍ତନ ସହ ସର୍ଭେ ରିପୋର୍ଟର ଆକଳନରେ ମଧ୍ୟ ପରିବର୍ତ୍ତନ ଆସୁଛି । ଏପରିକି ୨୦୧୪ରେ ଯେଉଁ ସର୍ଭେ ରିପୋର୍ଟ ଆସିଥିଲା ତାହା ଓଡିଶାରେ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା । ତେଣୁ ନିର୍ବାଚନକୁ ଆଉ ୬ ମାସରୁ ଅଧିକ ସମୟ ବାକି ଥିବା ବେଳେ କେଉଁ ଦଳ ଅଧିକ ଆସନ ହାତେଇବ ତାହା ଉପରେ ଏବେ ସମସ୍ତଙ୍କ ନଜର ।