ଚମକାଇ ଦେଲା ସି-ଭୋଟର ସର୍ଭେ ରିପୋର୍ଟ : ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାର ଗଢିବ କଂଗ୍ରେସ, ରମଣଙ୍କ ଗଡରେ କଡା ଟକ୍କର ଦେବେ ରାହୁଲ

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ କଂଗ୍ରେସକୁ ବହୁମତ ସମ୍ଭାବନା

589

କନକ ବ୍ୟୁରୋ : ଆସନ୍ତା ସୋମବାର ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ନିଜ ଦଳ ସପକ୍ଷରେ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସର ସର୍ବୋଚ୍ଚ ନେତା । ଛତିଶଗଡ ସହ ନିର୍ବାଚନକୁ ଯାଉଥିବା ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସର ପ୍ରଦର୍ଶନ ଉପରେ ସାରା ଦେଶର ନଜର ରହିଛି । କାରଣ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏହା ନିର୍ଣାୟକ ହେବ ବୋଲି ଅନୁମାନ କରାଯାଉଛି । ତେବେ ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଚମକାଇ ଦେଲାଭଳି ସର୍ଭେ କରିଛି ସି ଭୋଟର ।

ସର୍ଭେ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ, ଛତିଶଗଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡା ମୁକାବିଲା । ଛତିଶଗଡରେ କଂଗ୍ରେସକୁ ୪୧ଟି ସିଟ୍ ଓ ବିଜେପିକୁ ୪୩ଟି ସିଟ୍ ମିଳିବ ବୋଲି ସର୍ଭେ ରିପୋର୍ଟ କହୁଛି । ଏଭଳି ସ୍ଥିତି ହେଲେ ଛତିଶଗଡରେ ସରକାର ଗଢିବାକୁ ଉଭୟ ଦଳ ପାଖରେ ମ୍ୟାଜିକ ନମ୍ବର ରହିବ ନାହିଁ । ତେଣୁ ଛତିଶଗଡରେ ଘନ ଘନ ପ୍ରଚାର ଚଳାଇଛନ୍ତି ମୋଦି-ଶାହା । ଅନ୍ୟପଟେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ କଂଗ୍ରେସକୁ ବହୁମତ ମିଳିବା ସମ୍ଭାବନା ରହିଛି । ଯାହା ବିଜେପିକୁ ଘାଟାରେ ପକାଇବ । କାରଣ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏବେ ବିଜେପି ସରକାର ରହିଛି ।

ସର୍ଭେ ଅନୁଯାୟୀ, ମଧ୍ୟପ୍ରଦେଶରେ ବିଜେପି ମାତ୍ର ୧୦୭ଟି ଆସନ ପାଇବାକୁ ଥିବା ବେଳେ କଂଗ୍ରେସକୁ ୧୧୬ଟି ଆସନ ମିଳିବ । ଆଉ ଏହିଭଳି ସ୍ଥିତି ଉପୁଜିଲେ ମଧ୍ୟପ୍ରଦେଶରେ ସରକାର ଗଢିବାକୁ ସକ୍ଷମ ହେବ କଂଗ୍ରେସ ।ସେହିଭଳି ରାଜସ୍ଥାନରେ ସରକାରରେ ଥିବା ବିଜେପିକୁ ଚଳିତ ନିର୍ବାଚନରେ ମାତ୍ର ୪୫ ସିଟ୍ ମିଳିବ ବୋଲି ସର୍ଭେରେ କୁହାଯାଇଛି । କିନ୍ତୁ କଂଗ୍ରେସ ୧୪୫ଟି ସିଟରେ ବିଜୟୀ ହୋଇ ସରକାର ଗଢିବ ବୋଲି ସି ଭୋଟର ସର୍ଭେ ରିପୋର୍ଟରେ କୁହାଯାଇଛି ।ମିଜୋରାମରେ ଝୁଲା ସରକାର ହେବା ନେଇ ପୂର୍ବାନୁମାନ କରିଛି ସର୍ଭେ ସଂସ୍ଥା ।