ନିର୍ବାଚନ ନେଇ ତାରିଖ ଘୋଷଣା ପରେ ଆସିଲା ସି ଭୋଟର ସର୍ଭେ । ୪ ରାଜ୍ୟରେ ବଦଳିବ ନାହିଁ ସରକାର । ଦିଦି ଓ ବିଜୟନଙ୍କ ସରକାର ସ୍ଥିର

818

କନକ ବ୍ୟୁରୋ : ଦେଶର ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ୨୬ ତାରିଖ ଦିନ କେନ୍ଦ୍ର ନିର୍ବାଚନ କମିଶନର ସୁନିଲ ଆରୋରା ତାରିଖ ଘୋଷଣା କରିବା ପରେ ଫଳା ଫଳ ନେଇ ବିଭିନ୍ନ ସର୍ଭେ ସଂସ୍ଥା ତର୍ଜମା ଆରମ୍ଭ କରିଛନ୍ତି । ଏହି କ୍ରମରେ ଦେଶରେ ସବୁଠାରୁ ବିଶ୍ୱସ୍ଥ ସର୍ଭେ ସଂସ୍ଥା ସି ଭୋଟର ଶନିବାର ଦିନ ତାର ଓପିନିୟନ ପୋଲ ଫଳା ଫଳ ପ୍ରକାଶ କରିଛି । ଏହି ରିପୋର୍ଟ ମୁତାବକ ନିର୍ବାଚନ ହେବାକୁ ଥିବା ୪ ଟି ରାଜ୍ୟ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ଥିବା ପଶ୍ଚିମବଙ୍ଗରେ ଦିଦି ପୁଣି ଗଡ ସମ୍ଭାଳିବେ ବୋଲି କୁହାଯାଇଛି । ଏଥିରେ ଦିଦିଙ୍କ ତୃଣମୂଳ କଂଗ୍ରେସକୁ ୪୩ ପ୍ରତିଶତ ବିଜେପିକୁ ୩୮ ପ୍ରତିଶତ, କଂଗ୍ରେସ-ବାମମେଣ୍ଟକୁ ୧୩ ଓ ଅନ୍ୟମାନଙ୍କୁ ୬ ପ୍ରତିଶତ ଭୋଟ ମିଳିବ ବୋଲି କୁହାଯାଇଛି । ଆସନ ଆଧାରରେ ପଶ୍ଚିମବଙ୍ଗର ମୋଟ ୨୯୪ ଆସନ ମଧ୍ୟରୁ ତୃଣମୂଳକୁ ୧୪୮-୧୬୪, ବିଜେପିକୁ ୯୨-୧୦୮ ଓ କଂଗ୍ରେସ –ବାମମେଣ୍ଟକୁ ୩୧ ରୁ ୩୯ ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି ।

ସେହିଭଳି ଆସାମରେ ପୁଣି ବିଜେପି ସରକାର ଗଠନ କରିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଏଠାରେ ଶାସନ କ୍ଷମତାରେ ଥିବା ବିଜେପିକୁ ୪୨ ପ୍ରତିଶତ, କଂଗ୍ରେସ ମେଣ୍ଟକୁ ୩୧ ପ୍ରତିଶତ ଓ ଅନ୍ୟମାନଙ୍କୁ ୨୪ ପ୍ରତିଶତ ଭୋଟି ମିଳିବ ବୋଲି ଆକଳନ କରାଯାଇଛି । ଏଠାରେ ମୋଟ ୧୨୬ ଆସନରୁ ବିଜେପି ମେଣ୍ଟକୁ ୬୮-୭୬, କଂଗ୍ରେସକୁ ୪୩-୫୧ ଓ ଅନ୍ୟମାନଙ୍କୁ ୫-୧୯ ଆସନ ମିଳିପାରେ ।

ଅନ୍ୟପଟେ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ କଂଗ୍ରେସ ପାଇଁ ଖୁସି ଖବର ଆଣିଛି ସି ଭୋଟର । ତାମିଲନାଡୁରେ କଂଗ୍ରେସ ଓ ଡିଏମକେ ମେଣ୍ଟକୁ ୪୧ ପ୍ରତିଶତ, ବିଜେପି- ଏଆଇଏଡିଏମକେ କୁ ୨୯ ପ୍ରତିଶତ ଓ ଅନ୍ୟମାନଙ୍କୁ ୩୦ ପ୍ରତିଶତ ଭୋଟ ମିଳିପାରେ । ତାମିଲନାଡୁରେ ମୋଟ ବିଧାନସଭା ଆସନ ସଂଖ୍ୟା ୨୩୪ ହୋଇଥିବା ବେଳେ ସି ଭୋଟର ସେର୍ଭେ ମୁତାବକ ଏଠାରେ ଏଆଇଏଡିଏମକେ ମେଣ୍ଟକୁ ୫୮-୬୬, ଡିଏମକେ ମେଣ୍ଟକୁ ୧୫୪-୧୬୨ ଓ ଆସନ ମିଳିବାକୁ ଅନୁମାନ କରାଯାଉଥିବା ବେଳେ ଅନ୍ୟମାନଙ୍କୁ ୮ ଟି ଆସନ ମିଳିପାରେ ।

ସେପଟେ କେରଳରେ ପୁଣି ବାମପନ୍ଥୀ ସରକାର ବଳବତ୍ତର ରହିବ ବୋଲି କୁହାଯାଇଛି । ଏଠାରେ ମୋଟ ୧୪୦ ଆସନ ମଧ୍ୟରୁ ଏଲଡିଏଫ୍ କୁ ୮୩-୯୧, କଂଗ୍ରେସ ମେଣ୍ଟ ୟୁଡିଏଫକୁ ୪୭-୫୫ ଆସନ ମିଳିପାରେ । ବିଜେପି ପାଇଁ କେରଳର କ୍ଷମତା ପୁଣି ସ୍ୱପ୍ନ ହେବାକୁ ଯାଉଛି । ୨୦୧୬ ନିର୍ବାଚନରେ ବିଜେପିକୁ ଗୋଟିଏ ଆସନ ମିଳିଥିବା ବେଳେ ଏହା ବଢି ୨ ଟି ଆସନ ହୋଇପାରେ ବୋଲି ସି ଭୋଟର ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।