ବାୟଜୁ ବନ୍ଦ କଲା ସମସ୍ତ କାର୍ଯ୍ୟାଳୟ । ୱାର୍କ ଫ୍ରମ ହୋମ୍ କରିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ

1,246

କନକ ବ୍ୟୁରୋ : ସଂକଟରେ ପଡିଥିବା ଏଡଟେକ୍ କମ୍ପାନୀ ବାୟୁଜୁ ତରଫରୁ ବଡ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ କମ୍ପାନୀ ତରଫରୁ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି । ଏହାସହ ସମସ୍ତ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିବେଶକଙ୍କ ସହ ବିବାଦରେ ଫଶିଥିବା ବାୟଜୁ କମ୍ପାନୀ ପାଖାପାଖି ୨୦ ହଜାର କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ହୋଇଛି । ଏହାପରେ ଖର୍ଚ୍ଚ କାଟ କରିବାକୁ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନା ତରଫରୁ କମ୍ପାନୀର ବେଙ୍ଗାଲୁରୁରେ ଥିବା ଆଇବିସି ନଲେଜ ପାର୍କ ସ୍ଥିତ ମୁଖ୍ୟାଳୟ ବ୍ୟତୀତ ଭାରତରେ ଥିବା ସମସ୍ତ କାର୍ଯ୍ୟାଳୟ ବନ୍ଦ କରିଦେଇଛି । ଆଗାମୀ ଆଦେଶ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ୱାର୍କ ଫ୍ରମ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ।  ହେଲେ ବାୟଜୁର ଟ୍ୟୁସନ ସେଣ୍ଟର ଚାଲୁ ରହିବ । କମ୍ପାନୀର ମୁଖ୍ୟ ବାୟଜୁ ରବିଚନ୍ଦ୍ରନ ୨୦ ହଜାର କର୍ମଚାରୀଙ୍କୁ କଥା ଦେଇଥିଲେ କି ସେମାନଙ୍କ ଫେବୃଆରୀ ମାସର ଦରମା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପ୍ରଦାନ କରାଯିବ । ହେଲେ କମ୍ପାନୀ ଦରମା ଦେବାରେ ବିଫଳ ହୋଇଛି । ହେଲେ କମ୍ପାନୀ ଦାବି କରିଛି କି, ସେ ତା’ର ସମସ୍ତ କର୍ମଚାରୀଙ୍କୁ କିଛିମାତ୍ରାରେ ଦରମା ପ୍ରଦାନ କରିଛି ।

ବାୟଜୁ ରବିଚନ୍ଦ୍ରନ ଓ କମ୍ପାନୀର କିଛି ସେୟାର ହୋଲଡରଙ୍କ ମଧ୍ୟରେ ନୂଆ ବୋର୍ଡ ଗଠନ ନେଇ ବିବାଦ ଦେଖାଦେଇଥିଲା । ଏହି ମାମଲା କୋର୍ଟରେ ପହଂଚିସାରିଛି । କୋର୍ଟ ତରଫରୁ ରାଇଟ୍ ଇସ୍ୟୁରୁ ମିଳିଥିବା ଟଙ୍କା କାରବାର କରିବା ଉପରେ ରୋକ୍ ଲଗାଇଛନ୍ତି ।