ଆଜିି ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ପଡିବ ଭୋଟ: ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୋନା କଟକଣାରେ ମତଦାନ କରିବେ ଭୋଟର; ଧାଡି଼ରେ ରହିବ ୬ ଫୁଟର ଦୂରତା: ହେବ ଥର୍ମାଲ ସ୍କ୍ରିନିଂ, ପିପିଇ କିଟ୍ ପିନ୍ଧିବେ ପୋଲିଂ କର୍ମଚାରୀ

42

କନକ ବ୍ୟୁରୋ: ଆଜି ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ଟି ବୁଥରେ ମତଦାନ କରିବେ । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେବେ । କରୋନା କଟକଣା ଭିତରେ ଆରମ୍ଭ ହେବ ଭୋଟ ଗ୍ରହଣ । ଭୋଟର କେମିତି ଲାଇନ୍ରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ କଟକଣା ଜାରି କରାଯାଇଛି ।

ଭୋଟର ମାନେ ଧାଡିରେ ଛିଡା ହେବାବେଳେ ସେମାନଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି । ସେହିପରି ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଭୋଟ ଦେବେ ସେମାନେ ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧିବେ । ପୋଲିଂ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧିବେ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ ।

ସେପଟେ ଏହି ଉପନିର୍ବାଚନ କେବଳ ଦୁଇଟି ନିର୍ବାଚନ ମଣ୍ଡଳିରେ ହେଉଥିଲେ ବି ବିଭିନ୍ନ ଦୃଷ୍ଟିରୁ ଏହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ବହୁ ଗୁରୁତ୍ୱ ଦିଆଯାଉଛି । କାରଣ ଏହାର ଫଳାଫଳ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଲୋକପ୍ରିୟତା ଅତୁଟ ଅଛି ନା ନାହିଁ, ସରକାରଙ୍କ କୋଭିଡ ପରିଚାଳନାକୁ ଲୋକେ କିଭଳି ଭାବରେ ଗ୍ରହଣ କରିଛନ୍ତି, ତାହା ଏହି ନିର୍ବାଚନରୁ ଜଣାପଡିବ । ସେପଟେ ବିଜେପି ବାଲେଶ୍ୱରରେ ଗଡ ରକ୍ଷା କରିପାରୁଛି କି ନାହିଁ, ଓଡିଶାରେ ମୋଦିଙ୍କ ନାଁରେ ଭୋଟ ଆସିବ କି ନାହିଁ, ତା’ର ମଧ୍ୟ ପରୀକ୍ଷା ହେବ । ଏହାଛଡା କଂଗ୍ରେସ ପ୍ରତି ଲୋକଙ୍କ କଣ ମନୋଭାବ ରହିଛି, ତା’ର ମଧ୍ୟ ପରୀକ୍ଷା ହେବ ।