ସ୍ତ୍ରୀଙ୍କ କାନଫୁଲ ବନ୍ଧାପକାଇ ଋଣରେ କରିଥିଲେ ପରିବା ଚାଷ। ଏବେ ପାଣିରେ ବୁଡିଛି ଅମଳ ହେବାକୁ ଥିବା ଫସଲ।

87

 

କନକ ବ୍ୟୁରୋ: ବନ୍ୟା ଆସି ଚାଷ ଉଜାଡି ଦେବା ପରେ ଅନେକ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ବାଙ୍କୀ ବରହମପୁର ଗାଁର ବେଣୁଧର ପଲେଇଙ୍କ କୋହଭରା କଥାକୁ ଦେଖନ୍ତୁ । ସ୍ତ୍ରୀଙ୍କ କାନଫୁଲ ବନ୍ଧାପକାଇ ୧୦ ହଜାର ଟଙ୍କା ଋଣ ଆଣି ପନିପରିବା ଚାଷ କରିଥିଲେ । ୪ ଏକର ଜମିରେ ବାଇଗଣ. ଭେଣ୍ଡି, ପୋଟଳ ଲଗାଇଥିଲେ । ହେଲେ ମହାନଦୀରେ ବନ୍ୟା ଆସିବାରୁ ତାଙ୍କ ଜମିରେ ଏବେ ୬ ଫୁଟର ପାଣି ଜମିରହିଛି । ଏବେ କେଉଁଠୁ ଟଙ୍କା ଆଣିବେ, ଏବଂ ପରିବାର ଚଳାଇବା ସହ ସ୍ତ୍ରୀଙ୍କ କାନଫୁଲ ମୁକାଳିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।

ମାତ୍ର ଚାରି ଦିନ ତଳେ ଯେଉଁ ଚାଷ ଜମି ସୁନାର ଫସଲରେ ହସୁଥିଲା ଆଜି ସେଠି ବେକେ ଉଚ୍ଚର ପାଣି ଛିଡା ହୋଇଛି । ଫସଲ କିଆରି ଉପରେ ଡଙ୍ଗା ଚାଲୁଛି । ଆଉ ପାଣି ଭିତରେ ଦୁଇ ଦିନ ରହିବା ପରେ ପରିବା ଗଛ ପଚିଷଢ଼ି ନଷ୍ଟ ହୋଇଯାଇଛି । ସେହି ସମାନ ଚିତ୍ର ନିଆଳିରେ ଦେଖିବାକୁ ମିଳିଛି । ଦେବୀ ନଦୀରେ ବନ୍ୟା ଆସିବା ପରେ ନିଆଳିରେ ଏମିତି ସ୍ଥିତି ସୃଷ୍ଟି ହୋଇଛି । ଏହି ଦୃଶ୍ୟକୁ ଦେଖି କାନ୍ଦୁଛି ଚାଷୀ ।

ନିଆଳି ଅଞ୍ଚଳର ରୋଜଗାରର ଆଉ ଏକ ପ୍ରମୁଖ ମାଧ୍ୟମ ହେଉଛି ପାନଚାଷ । ହେଲେ ବନ୍ୟା ପାଣି ପଶିଯିବା ଫଳରେ ପାନବରଜ ଏବେ ନଷ୍ଟ ହୋଇଯାଇଛି । ମୂଳ ପଚିଯିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି ।

ପାରାଦୀପର ପରିବା ଝୁଡି କୁହାଯାଉଥିବା କୁଜଙ୍ଗର ବିଭିନ୍ନ ଅଞ୍ଚଳରେ ନଦୀ ପାଣି ପଶିଯିବାରୁ ନଷ୍ଟ ହୋଇଯାଇଛି ଫସଲ । ପାଣିରେ ବୁଡି ଯାଇଛି ପୋଟଳ, ଜହ୍ନି, ଝୁଡଙ୍ଗ ଭଳି ପନି ପରିବା । ଖୋର୍ଦ୍ଧା ଜିଲ୍ଲାର ଶରଧାପୁରର ବି ସେହି ଭଳି ଚିତ୍ର । ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । ଆଉ ପାଣି ତଳେ ବୁଡି ରହିଛି ଫସଲ କିଆରି । ନଷ୍ଟ ହୋଇଯାଇଛି ବିଭିନ୍ନ ପ୍ରକାରର ପନିପରିବା ଗଛ । ଚାରିଆଡୁ ଆସୁଥିବା ଏସବୁ ଦୃଶ୍ୟ ଦେଖିଲେ, ଆଗାମୀ ଦିନରେ ପରିବା ଅଭାବ ଦେଖାଯିବା ସହ ଦର ମଧ୍ୟ ଯଥେଷ୍ଟ ବଢ଼ିବାର ସମ୍ଭାବନା ରହିଛି ।