କନକ ବ୍ୟୁରୋ: ଚଳିତ ବର୍ଷ ଶେଷ ସୁଦ୍ଧା ବଡ଼ଚଣା ବ୍ଲକରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ କାମ ପୂର୍ଣ୍ଣାଙ୍ଗ ହେବ । ବଡ଼ଚଣା ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିବା ମୁତାବକ, ୨୦୧୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ପାଇଁ ଘୋଷଣା କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ୨୦୧୭ ଜୁଲାଇ ୩୧ରେ ୬୬ ଏକର ଜମିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏଥିପାଇଁ ୧୦୧ କୋଟି ୨୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଯେଉଁଥିରୁ ୭୦ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରି ସାରିଛନ୍ତି ।

ଅନ୍ୟପଟେ ବିଶ୍ଵବିଦ୍ୟାଳୟର ଏକାଡେମିକ, ଆଡ଼ମିନିସ୍ଟ୍ରେଟିଭ୍ ବିଲ୍ଡିଂ ସମେତ ୬୦% କାମ ସରିଲାଣି । ୨୦୧୮-୧୯ରୁ ଏଠାରେ ବିଏସସି ନର୍ସିଙ୍ଗର ତିନୋଟି ବିଷୟରେ ସ୍ନାତୋକତ୍ତର ପାଠ୍ୟକ୍ରମ ଚାଲିଛି । ଆଜି ଯାଏଁ ଶତ ପ୍ରତିଶତ ଫଳାଫଳ ହୋଇଛି । ତେବେ ୨୦୨୨ ଡିସେମ୍ବର ୧୫ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମ୍ନମାନର କାମ ନେଇ ସେ ସମୟର ସ୍ଥାନୀୟ ସରପଞ୍ଚ ଚିଠି ଲେଖିଥିଲେ । ସେଥିପାଇଁ ନିର୍ମାଣକାରୀ ସଂସ୍ଥାକୁ ତାଗିଦ କରାଯାଇଥିଲା । ତା ପରଠାରୁ ଆଉ ଅଭିଯୋଗ ଆସିନି । କାମ ଠିକ ଭାବେ ଓ ଠିକ ସମୟରେ ସାରିବାକୁ ବାରମ୍ବାର ତାଗିଦ କରାଯାଉଛି । ଯଦି ନିମ୍ନମାନ କାମର ଅଭିଯୋଗ ପ୍ରମାଣିତ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାନସଭା ଗୃହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।