କନକ ବ୍ୟୁରୋ: ପ୍ରାୟ ଦୁଇ ବର୍ଷ ହେଲା କରୋନା କଲବଲ କରିବା ପରେ କେବେ ଯିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଆଉ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ଆଇସିଏମଆର ମହାମାରୀ ବିଶେଷଜ୍ଞ ସମୀରନ ପଣ୍ଡା । ସେ କହିଛନ୍ତି ଯଦି ଓମିକ୍ରନ ଡେଲଟାର ସ୍ଥାନ ନେଇଯାଏ ଏବଂ ଅନ୍ୟ କୌଣସି ନୂଆ ପ୍ରଜାତି ସୃଷ୍ଟି ନହୁଏ ତେବେ ମାର୍ଚ୍ଚ ୧୧ ସୁଦ୍ଧା ମହାମାରୀ, ଏଣ୍ଡେମିକର ରୂପ ନେବ ଅର୍ଥାତ ସ୍ଥାନୀୟ ସଂକ୍ରମଣରେ ସୀମିତ ରହିବ କରୋନା

Advertisment

ଓମିକ୍ରନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଶ୍ୱସ୍ତିକର ବୟାନ ଦେଇଛନ୍ତି ଆଇସିଏମଆରର ମହାମାରୀ ବିଶେଷଜ୍ଞ ଡାକ୍ତର ସମୀରନ ପଣ୍ଡା । ସେ କହିଛନ୍ତି, “ଓମିକ୍ରନ ଯଦି ଡେଲଟାର ସ୍ଥାନ ନେଇଯାଏ । ତେବେ ମାର୍ଚ୍ଚ ୧୧ ତାରିଖ ସୁଦ୍ଧା କରୋନା ମହାମାରୀ ସ୍ଥାନୀୟ ସଂକ୍ରମଣରେ ସୀମିତ ହୋଇ ରହିଯିବ । କିନ୍ତୁ ଏଥିପାଇଁ ଲୋକଙ୍କୁ କୋଭିଡ ଗାଇଡ୍ଲାଇନ୍ କଡାକଡି ଭାବେ ପାଳନ କରିବାକୁ ପଡିବ । କୌଣସି ନୂଆ ପ୍ରଜାତି ଏହି ସମୟ ଭିତରେ ଦେଖାନଦେଲେ ସ୍ଥାନୀୟ ସଂକ୍ରମଣରେ କରୋନା ସୀମିତ ହେବାର ସମ୍ଭାବନା ଅଧିକ ରହିଛି ।”

କରୋନା ଟିକା ନେଇଥିଲେ ଏବଂ ଓମିକ୍ରନ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ଏହା ଭବିଷ୍ୟତରେ ଡେଲ୍ଟା ଭୂତାଣୁ ବିରୋଧରେ ମଧ୍ୟ ସୁରକ୍ଷା ପ୍ରଦାନ କରିବ । ଏହି ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନ୍ । ଟିକା ନେଇନଥିଲେ ଏବଂ କରୋନା ସଂକ୍ରମିତ ହେଲେ ଏହା କୌଣସି ପ୍ରକାର ଭୂତାଣୁ ବିରୋଧରେ ପ୍ରତିରୋଧ ଶକ୍ତି ତିଆରି କରିବ ନାହିଁ ବୋଲି ଏହି ଅଧ୍ୟୟନରୁ ଜଣାପଡିଛି ।

ଅନ୍ୟପଟେ ଓଡିଶାରେ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ରେ ପହଁଚିଛି । ଏପଟେ ରାଜ୍ୟରେ ଗୋଟିଏ ଦିନରେ ୧୧ ହଜାର ୬୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୪ ହଜାର ୩୪୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରେ ୧୨୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହପରି ଦେଶରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୨ ହଜାର ୯୭୦ ମାମଲା ଚିହ୍ନଟ ହୋଇଛି । ଦେଶରେ ସଂକ୍ରମଣ ହାର ରହିଛି ୧୫.୧୩ ପ୍ରତିଶତ ।