ଉପନିର୍ବାଚନରେ ବିଜେପିକୁ ଝଟକା । ହିମାଚଳପ୍ରଦେଶରେ ବାଜିମାରିଲା କଂଗ୍ରେସ, ପଶ୍ଚିମବଙ୍ଗରେ ଟିଏମସିର କ୍ଲିନ୍ ସୁଇପ୍ ।

183

କନକ ବ୍ୟୁରୋ : ପ୍ରକାଶ ପାଇଲା ଉପ-ନିର୍ବାଚନ ଫଳ । ୩ ଲୋକସଭା ଓ ୨୯ ବିଧାନସଭା ଉପ-ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇଛି । ଆଉ ଏଥିରେ ବିଜେପିକୁ ମିଳିଛି ବଡ ଝଟକା । ହିମାଚଳପ୍ରଦେଶରେ କ୍ଲିନ ସୁଇପ କରିଲା କଂଗ୍ରେସ । ଅନ୍ୟପଟେ ଦିଦିଙ୍କ ପ୍ରାର୍ଥୀ ଲକ୍ଷାଧିକ ଭୋଟରେ ମାରିଲେ ବାଜି ।

ଉପ-ନିର୍ବାଚନରେ ‘ବିଜେପି’କୁ ଝଟକା । କେଉଁଠି ଜିତିଲା ‘କଂଗ୍ରେସ’ ଆଉ କେଉଁଠି ‘ତୃଣମୂଳ କଂଗ୍ରେସ’ର ବାଜିମାତ୍ । ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଉପ-ନିର୍ବାଚନର ଫଳ ପ୍ରକାଶ ପାଇଛି । ଆଉ ଏଥିରେ ଅଧିକାଂଶ ସ୍ଥାନରେ ବିଜେପିକୁ ଲାଗିଛି ଝଟକା । ଖାସ କରି ହିମାଚଳପ୍ରଦେଶରେ ବିଜେପିକୁ ହରାଇ ବାଜିମାତ କରିଛି କଂଗ୍ରେସ । ରାଜ୍ୟରେ ୩ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନପାଇଁ ଅନୁଷ୍ଠିତ ଉପ-ନିର୍ବାଚନରେ ଶାସକ ବିଜେପିକୁ ହରାଇଛି କଂଗ୍ରେସ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜକୁ ଦାୟୀ କରିଛନ୍ତି । ବିଜେପିର ଏକ ତରଫା ନିଷ୍ପତି ଓ ଦରବୃଦ୍ଧି ପରାଜୟର କାରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।

ସେପଟେ ପଶ୍ଚିମବଙ୍ଗରେ ଚାରୋଟି ବିଧାନସଭା କ୍ଷେତ୍ରରେ ବିଜେପି ଉପରେ ଭାରି ପଡିଛି ଟିଏମସି । ହରିଆଣାରେ ଆଇଏନଡି ପ୍ରାର୍ଥୀ ଅଭୟ ଚୌଟେଲା ଭାଜପା ପ୍ରାର୍ଥୀଙ୍କୁ ହରେଇଛନ୍ତି । ସେହିପରି ଆଉ ଏକ ବିଧାନସଭା କ୍ଷେତ୍ରରେ ଭାଜପା ସମର୍ଥିତ ଜେଜେପିକୁ ସଫଳତା ମିଳିଛି । କର୍ଣାଟକରେ ଭାଜପା ଓ କଂଗ୍ରେସ ଉଭୟ ଗୋଟିଏ ଗୋଟିଏ ସିଟରେ ବିଜୟ ହେଇଛନ୍ତି । ମେଘାଳୟରେ ସରକାରରେ ଥିବା ଏନପିପି ଓ ସହେଯାଗୀ ୟୁଡିପି ଜିତିଛି । ସେହିପରି ଆସାମରେ ବିଜେପି –ୟୁଏଲପିପି ସମର୍ଥିତ ପାର୍ଟି ଜିତିଛନ୍ତି ।

ଦେଶରେ ଦରଦାମ ବୃଦ୍ଧି, ତୈଳ ଦର ଆକାଶଛୁଆଁକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ଅସନ୍ତୋଷ ଉପ-ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଛି । ସେହିପରି ଆଗକୁ ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଏହି ଦରଦାମ ବୃଦ୍ଧି ପ୍ରଭାବ ପକାଇପାରେ ବୋଲି ଅନେକ ରାଜନୀତି ବିଶେଷଜ୍ଞ ମତପୋଷଣ କରିଛନ୍ତି ।