କନକ ବ୍ୟୁରୋ : ଦେଶର ୬ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୭ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଛି । ଏଥିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଉତ୍ତର ପ୍ରଦେଶର ଘାସି ବିଧାନସଭା ଆସନରେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିଥିବା ସୁଧାକର ସିଂ ତାଙ୍କର ନିକଟତ ପ୍ରତଦ୍ୱନ୍ଦୀ ବିଜେପିର ଦାରାସିଂ ଚୌହାନଙ୍କ ଠାରୁ ୩୫ ହଜାର ଭୋଟରେ ଆଗୁଆ ଅଛନ୍ତି । ଅର୍ଥାତ ସମାଜବାଦୀ ପାର୍ଟିର ପ୍ରାର୍ଥୀ ସେଠି ଜିତିବା ଏକପ୍ରକାର ସ୍ଥିର ହୋଇଛି ।

Advertisment

ସେହିଭଳି ଉତ୍ତରାଖଣ୍ଡର ବାଗେଶ୍ୱର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପାର୍ବତୀ ଦାସ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବସନ୍ତ କୁମାରଙ୍କୁ ପରାସ୍ତ କରିଛନ୍ତି । ପଶ୍ଚିମବଙ୍ଗର ଘୁପଗୁଡି ବିଧାନସଭା ଉପ ନିର୍ବାଚନରେ ଶାସକ ଟିଏମସିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଟିଏମସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ତାପସୀ ରାୟଙ୍କୁ ପରାଜିତ କରିଛନ୍ତି ।

ଅନ୍ୟପଟେ ତ୍ରିପୁରାରେ ୨ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜେପି ବାଜିମାତ କରିଛି । ବକ୍ସାନଗର ବିଧାନସଭା କ୍ଷେତ୍ରରେ ବିଜପେି ପ୍ରାଥୀ ତଫଜ୍ଜଲ ହୁସେନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସିପିଆଇ (ଏମ୍) ପ୍ରାର୍ଥୀ ମିଜନ ହୁସେନଙ୍କୁ ପରାଜିତ କରିଛନ୍ତି । ସେହିଭଳି ଧନପୁର ନିର୍ବାଚନ ମଣ୍ଡଳୀ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିନ୍ଦୁ ଦେବନାଥ ସିପିଆଇଏମ ପ୍ରାର୍ଥୀ କୌଶିକ ଚନ୍ଦାଙ୍କୁ ପରାଜିତ କରିଛନ୍ତି ।

କେରଳର ପୁଥୁପଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡୀଙ୍କ ପୁଅ ଚାଣ୍ଡୀ ଓମାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସିପିଆଇଏମର ଜ୍ୟାକ ସି ଥମସଙ୍କୁ ପରାଜିତ କରିଛନ୍ତି । ଝଡଖଣ୍ଡର ଡୁମରୀ ବିଧାନସଭା ପାଇଁ ହୋଇଥିବା ଉପ ନିର୍ବାଚନରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରାର୍ଥୀ ବେବି ଦେବୀ ବିଜୟୀ ହୋଇଛନ୍ତି ।