ନଭେମ୍ବର ସୁଦ୍ଧା ସବୁ ଚାଷୀଭାଇ ପାଇବେ ୨ ହଜାର ଟଙ୍କା । ୨୦ ଦିନରେ ଟଙ୍କା ପଠାଇଲେ କେନ୍ଦ୍ର ସରକାର : ୧୦ କୋଟି ୫୦ ଲକ୍ଷ ଚାଷୀ ଯୋଜନାର ଲାଭ ପାଇବା ପାଇଁ କରିଛନ୍ତି ଆବେଦନ : ଜାଣନ୍ତୁ ଏହି ଯୋଜନାର ଲାଭ ପାଇବ କିଏ ?

1,103

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଛନ୍ତି ସ୍ୱତନ୍ତ୍ର ଯୋଜନା । ଯେଉଁ ଯୋଜନା ମାଧ୍ୟମରେ ସରକାର ଦେବେ ୨ ହଜାର ଟଙ୍କା । ତେବେ ୨୦ ଦିନ ମଧ୍ୟରେ ଚାଷୀ ଭାଇଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ପଠାଇଛି କେନ୍ଦ୍ର କୃଷି ମନ୍ତ୍ରଣାଳୟ । ଅଗଷ୍ଟ ୯ ରେ ପ୍ରଧାନମନ୍ତ୍ରୀ ୮.୫ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ୧୭ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ପ୍ରଧାନମନ୍ତ୍ରୀ କିଷାନ ସମ୍ନାନ ନିଧି ଯୋଜନାରେ ଏହି ଟଙ୍କା ଦିଆଯାଇଥିବା କଥା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ୩୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ସରକାର ୨ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ।

ଚାଷୀ ଭାଇଙ୍କ ପାଇଁ ବଡ ଖବର
ନଭେମ୍ବର ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା

ଯୋଜନାରେ ସାମିଲ ହେବେ ଆଉ ୨ କୋଟି ଚାଷୀ

୮ କୋଟି ୮୧ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ତେବେ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯାଇନାହିଁ ତେବେ ତୁରନ୍ତ ରେକର୍ଡ ଚେକ୍ କରାଇ ନିଅନ୍ତୁ । କାରଣ ଏଥିରେ ଯଦି କୌଣସି ତ୍ରୁଟି ରହିଥିବ ତାହାକୁ ପରଖି ନେବା ନିହାତି ଦରକାର । କାରଣ ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ଆଉ ୨ କୋଟି ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି ।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ହେବ ୨ ଗୁଣ

କେନ୍ଦ୍ର କୃଷିମନ୍ତ୍ରଣାଳୟର ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ସୁଦ୍ଧା ଏହି ଯୋଜନାର ଲାଭ ପାଇବା ପାଇଁ ୧୦ କୋଟି ୫୦ ଲକ୍ଷ କୃଷକ ନିଜ ନାମ ରେଜିଷ୍ଟ୍ରେସନ କରିଦେଇଛନ୍ତି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସରକାର ବି ଚାହୁଁଛନ୍ତି ଅଧିକରୁ ଅଧିକ ଚାଷୀ ଏହି ଯୋଜନାରେ ଯୋଡି ହୁଅନ୍ତୁ । ଆଉ ସେମାନଙ୍କ ଆକାଉଂଟକୁ ସରକାର ସିଧାସଳଖ ଟଙ୍କା ପଠାଇବେ । କାରଣ ମୋଦି ସରକାର କୃଷକଙ୍କ ଆୟ ୨୦୨୨ ସୁଦ୍ଧା ୨ ଗୁଣ କରିବାକୁ ଚେଷ୍ଟା କରୁଛନ୍ତି ।

ଏହି ଯୋଜନାର ଲାଭ ପାଇବ କିଏ ?

ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତି, ବର୍ତ୍ତମାନ କିମ୍ବା ପୂର୍ବତନ ମନ୍ତ୍ରୀ, ମେୟର କିମ୍ବା ଜଲ୍ଲା ପଞ୍ଚାୟତ ସଭାପତି, ବିଧାୟକ, ଲୋକସଭା ଏବଂ ରାଜ୍ୟସଭା ସାଂସଦ ଥିବା ବ୍ୟକ୍ତି କୃଷକ ଥିଲେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ ।

କେନ୍ଦ୍ର ଓ କିମ୍ବା ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ୧୦ ହଜାର ଟଙ୍କାରୁ ଅଧିକ ପେନସନ ପାଉଥିବା କର୍ମଚାରୀ ଏହାର ଲାଭ ପାଇବେ ନାହିଁ ।
ବୃତ୍ତିଗତ ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ ଯଦି ଚାଷ କରନ୍ତି ତେବେ ଏମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ ନାହିଁ ।
ଗତବର୍ଷ ଆୟକର ଦେଇଥିବା କୃଷକମାନଙ୍କୁ ଏଥିରେ ସାମିଲ କରିବେ ନାହିଁ ସରକାର ।
କେନ୍ଦ୍ର ଓ ରାଜ୍ୟ ସରକାର ମଲ୍ଟି ଟାସ୍କିଂ ଷ୍ଟାଫ୍, ୪ର୍ଥ ଶ୍ରେଣୀର କର୍ମଚାରୀ, ଗ୍ରୁପ ଡି’ର କର୍ମଚାରୀ କିନ୍ତୁ ଏହି ଯୋଜନାରେ ସାମିଲ ହୋଇପାରିବେ ।
ଯାଂଚ କରାଇ ନିଅନ୍ତୁ ସମସ୍ତ ରେକର୍ଡ

ଯେଉଁମାନେ ଏହି ଯୋଜନାରେ କୌଣସି ଟଙ୍କା ପାଇନାହାନ୍ତି ସେମାନେ ନିଜନିଜର ରେକର୍ଡ ଯାଂଚ କରିନେବା ଆବଶ୍ୟକ । ଯଦି ଆଧାର କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କୌଣସି ତ୍ରୁଟି ରହିଛି ତେବେ ତୁରନ୍ତ ତାହାକୁ ସଂଶୋଧନ କରନ୍ତୁ ।

ଆପଣଙ୍କ କାଗଜପତ୍ରରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ଆପଣ ଏହି ଯୋଜନାରେ କୌଣସି ଲାଭ ପାଇବେ ନାହିଁ ।

କାରଣ ଏହା ପୂର୍ବରୁ ୧.୩ କୋଟି ଚାଷୀ ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ କିନ୍ତୁ ଟଙ୍କା ପାଇଲେ ନାହିଁ କାରଣ ସେମାନଙ୍କ କାଗଜପତ୍ରରେ ଅନେକାଂଶରେ ତ୍ରୁଟି ପରିଲକ୍ଷିତ ହୋଇଥିଲା ।

ରେକର୍ଡ ଚେକ୍ କରିବେ କିପରି?

ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ସ୍କିମର ୱେବସାଇଟରେ ଲଗଇନ କରନ୍ତୁ । ଏହା ପରେ ଏଥିରେ ଦିଆଯାଇଥିବା ଫାର୍ମର କର୍ଣ୍ଣରରେ କ୍ଲିକ କରନ୍ତୁ । ତେବେ ଯଦି ଆପଣ ପୂର୍ବରୁ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି କିମ୍ବା ଆପଣଙ୍କ ଆବେଦନ କରିବା ପରେ ଆଧାରରେ କୌଣସି ତ୍ରୁଟି ରହିଛି ତେବେ ତାହା ଏହା ମଧ୍ୟରୁ ଜଣାପଡିବ । କେବଳ ଏତିକି ନୁହେଁ ବରଂ ନିଜର ନାମର ସମସ୍ତ ଅକ୍ଷରକୁ ଯାଂଚ କରାଇନିଅନ୍ତୁ ।

ଅସୁବିଧା ହେଲେ ହେଲ୍ପଲାଇନରେ ଯୋଗାଯୋଗ କରନ୍ତୁ

କୃଷକ ସମ୍ମାନ ନିଧି ଯୋଜନାରେ ଯଦି ଆପଣ ଟଙ୍କା ପାଉନାହାନ୍ତି ତେବେ ଜିଲ୍ଲା କୃଷି ଅଧିକାରୀଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ଆପଣ ସନ୍ତୁଷ୍ଟ ଉତର ପାଇଲେ ନାହିଁ ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ହେଲ୍ପ ଲାଇନ ନମ୍ବର ୧୫୫୨୬୧ କିମ୍ବା ୧୮୦୦୧୧୫୫୨୬ ଟୋଲ ଫ୍ରୀ ନମ୍ବରକୁ କଲ କରି କଥା ହୁଅନ୍ତୁ ।