ମମତାଙ୍କ ଗଡ କୁହାଯାଉଥିବା ଭବାନୀପୁରରେ ହେବ ଉପ ନିର୍ବାଚନ

93

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ କୁହାଯାଉଥିବା ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଆସନରେ ସେପ୍ଟେମ୍ବର ୩୦ ତାରିଖରେ ଉପ ନିର୍ବାଚନ ହେବ । ନିର୍ବାଚନ ଆୟୋଗଙ୍କୁ ଅଧିସୂଚନା ମୁତାବକ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ସମାନ ତାରିଖରେ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜଙ୍ଗୀପୁର ଓ ଓଡିଶାର ପିପିଲି ବିଧାନସଭା ପାଇଁ ବି ଉପ ନିର୍ବାଚନ ଅନୁଷ୍ଠିତ ହେବ । ସବୁଠାରୁ ବଡକଥା ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ହେଲେ ଭବାନୀପୁର ଆସନରୁ ନିର୍ବାଚନ ଜିତିବା ନିହାତି ଆବଶ୍ୟକ । ଏହାସହ କରୋନା ମହାମାରୀକୁ ନଜରରେ ରଖି ନିର୍ବାଚନ ଆୟୋଗ ଅନ୍ୟ ୩୧ ଟି ଆସନରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ।

ନିର୍ବାଚନ ଆୟୋଗ କହିଛନ୍ତି କି “ସାମ୍ବିଧାନିକ ଆବଶ୍ୟକତା ଓ ପଶ୍ଚିମବଙ୍ଗର ବିଶେଷ ଅନୁରୋଧକୁ ବିଚାର କରି ବିଧାନସଭା କ୍ଷେତ୍ର ୧୫୯- ଭବାନୀପୁରରେ ଉପ ନିର୍ବାଚନ ପାଇଁ ନିଷ୍ପତ୍ତି ନିଆଯାଇଛି ।” ଏହାସହ କରୋନା କାଳର ସମସ୍ତ ସତର୍କତା ଭିତରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ବନ୍ଦୋବସ୍ତ କରିଥିବା ସୂଚନା ଦେଇଛନ୍ତି ।

ଅନ୍ୟପଟେ ନିର୍ବାଚନ ଆୟୋଗ କହିଛନ୍ତି କି ଉପ ନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ପରେ ୩୧ ଟି ବିଧାନସଭା ଓ ୩ ଟି ଲୋକସଭା ଆସନରେ ହୋବକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖା ଯାଇଛି ।

କହିରଖୁ କି ଏପ୍ରିଲ-ମେ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଟିଏମସି ସୁନ୍ଦର ପ୍ରଦର୍ଶନ କରି ୨୯୪ ଆସନରୁ ୨୧୩ ଟି ଆସନ ଜିତିବାରେ ସକ୍ଷମ ହୋଇଥିଲେ । ମାତ୍ର ନନ୍ଦୀଗ୍ରାମ ଆସନରୁ ନିଜେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ମମତା ।