ବାଲେଶ୍ୱରରେ କାହାକୁ ମିିଳିବ ଟିକଟ? ବିଜେଡି ନେତା ଜୀବନ ପ୍ରଦୀପ ଦାସ କହିଲେ, ନିର୍ବାଚନ ହାରିଥିବା ନେତାଙ୍କୁ ପ୍ରାର୍ଥୀ ନ କରିବାକୁ ଦଳ ନେଇଛି ନିଷ୍ପତି: ସାମ୍ନାକୁ ଆସିବେ କି ନୂଆ ଚେହେରା, ସୁପ୍ରିମୋ ନେବେ ଚୂଡାନ୍ତ ନିଷ୍ପତି

232

କନକ ବ୍ୟୁରୋ: ବାଲେଶ୍ୱର ସଦର ଏବଂ ତିର୍ତୋଲ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେଡିରେ କିଏ ହେବ ପ୍ରାର୍ଥୀ ସେନେଇ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା । ବିଜେଡି ନେତା ଜୀବନ ପ୍ରଦିପ ଦାସ କହିଛନ୍ତି, ଗତ ନିର୍ବାଚନରେ ହାରିଥିବା ନେତାଙ୍କୁ ଟିକେଟ ନଦେବା ପାଇଁ ଦଳ ନିଷ୍ପତି ନେଇଛି । ଜୀବନ ପ୍ରଦୀପଙ୍କ ଏହି ବୟାନ ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଦ୍ୱନ୍ଦ୍ୱ । କାରଣ ହାରିଥିବା ନେତାଙ୍କ ଭିତରେ ଆସୁଛନ୍ତି ନିଜେ ଜୀବନ ପ୍ରଦୀପ ଦାସ ଏବଂ ରବିନ୍ଦ୍ର ଜେନା । ଏବେ ପ୍ରଶ୍ନ ଉଠୁଛି କିଏ ସେହି ତୃତୀୟ ବ୍ୟକ୍ତି ଯାହା ଉପରେ ଭରସା କରିବ ଦଳ ।

ଉପ-ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ବିଜେଡି ନେତା ଜୀବନ ପ୍ରଦୀପ ଦାସଙ୍କ ଏହି ବୟାନକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଜୀବନ ପ୍ରଦୀପ ଦାସ କହିଛନ୍ତି- ଗତ ନିର୍ବାଚନରେ ହାରିଥିବା ନେତାଙ୍କୁ ଏଥର ଉପ-ନିର୍ବାନଚରେ ପ୍ରାର୍ଥୀ ନକରିବା ପାଇଁ ଦଳ ନିଷ୍ପତି ନେଇଛି । ଜୀବନଙ୍କ ଏହି ବୟାନ ନୂଆ ରାଜନୈତିକ ଦ୍ୱନ୍ଦ୍ୱ ତିଆରି କରିଛି । କାରଣ ଗତ ନିର୍ବାଚନରେ ସେ ବିଧାନସଭା ପାଇଁ ବାଲେଶ୍ୱର ସଦରରୁ ପ୍ରାର୍ଥୀ ହୋଇଥିବା ବେଳେ ଜିଲ୍ଲା ବିଜେଡି ସଭାପତି ଥିବା ରବୀନ୍ଦ୍ର ଜେନା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଜୀବନଙ୍କ ବୟାନରୁ ଜଣାପଡୁଛି ଉଭୟ ନେତାଙ୍କୁ ଟିକେଟ୍ ନଦେବା ସମ୍ପର୍କରେ ଏହା ଇସାରା କରୁଛି ।

ଏବେ ସବୁଠୁ ବଡ ପ୍ରଶ୍ନ ହେଲା, ଯଦି ଜୀବନ ପ୍ରଦୀପ ଦାସ କିମ୍ବା ରବିନ୍ଦ୍ର ଜେନାଙ୍କୁ ବିଜେଡି ଟିକେଟ ନଦିଏ ତେବେ କାହାକୁ ମିଳିବ ଟିକେଟ । କିଏ ସେହି ତୃତୀୟ ବ୍ୟକ୍ତି ଯାହା ଉପରେ ଭରସା କରିବ ବିଜେଡି । ଗୋଟିଏ ପଟେ ନୂଆ ଚେହେରାଙ୍କ ସପକ୍ଷରେ ଜୀବନ ପ୍ରଦୀପ ଦାସଙ୍କ ଯୁକ୍ତି ଅନ୍ୟପଟେ ଟିକେଟ୍ର ଚୁଡାନ୍ତ ନିଷ୍ପତି ନେବେ ବିଜେଡି ସୁପ୍ରିମୋ । ଯାହା ଖୁବ କମ ଦିନ ମଧ୍ୟରେ ଜଣାପଡିଯିବ ।

ସେପଟେ ଉପ-ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ଚାଷୀ କାର୍ଡ ଖେଳିଛି କଂଗ୍ରେସ । ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ କୃଷକ ସମାବେଶ ମାଧ୍ୟମରେ ଦଳ ଶକ୍ତି ପ୍ରଦର୍ଶନ କରିଛି । ତେବେ ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଏବଂ ତିର୍ତୋଲ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ କୌଣସି ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଏହାରି ଭିତରେ ନିଜର ଦବଦବା ଜାହିର କରିବା ପାଇଁ ପ୍ରମୁଖ ରାଜନୈତିକ ଦଳ ଗୋଟିଚାଳନା ଆରମ୍ଭ କରିଦେଇଛନ୍ତି ।