ନେତାଙ୍କୁ ଘେରିଲେ ଜନତା । ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ବେଳେ ବିଜେଡି ନେତାଙ୍କୁ ମହିଳାଙ୍କ ଦାବି । ପ୍ରଥମେ ମଦ ବନ୍ଦ କର, ପରେ ଭୋଟ୍ । ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ଭୋଟର୍ଙ୍କ ପ୍ରଶ୍ନ-କେବେ ହେବ ବିଦ୍ୟୁତ ସଂଯୋଗ ।

325

କନକ ବ୍ୟୁରୋ : ଉପନିର୍ବାଚନ ଯୋଗୁଁ ଭୋଟ ପାଇଁ ଜନତାଙ୍କ ପାଖରେ ପହଁଚୁଛନ୍ତି ନେତା । କେବଳ ନିର୍ବାଚନ ସମୟରେ ଏହି ସୁଯୋଗ ଆସିଥିବାରୁ ଏହାକୁ ହାତଛଡା କରୁ ନାହାଁନ୍ତି ଜନତା । ସୁଯୋଗ ଦେଖି ନେତାଙ୍କୁ କରୁଛନ୍ତି ପ୍ରଶ୍ନ । ଗତକାଲି ବାଲେଶ୍ୱରର ବିଜେଡି ପ୍ରାର୍ଥୀ ସୂରୂପ ଦାସଙ୍କୁ ବିଜୁଳି କେବେ ଆସିବ ବୋଲି ପ୍ରଶ୍ନ କରିଥିବାବେଳେ ଆଜି ଆଗ ମଦ ବନ୍ଦ କର, ପରେ ଭୋଟ ଦେବୁ ବୋଲି ବିଜେଡି ନେତା ଅରୁଣ ଦେଙ୍କୁ କହିଛନ୍ତି ଜନତା ।

ନେତାଙ୍କୁ ଜନତା ଯେତେବେଳେ ପାଖରେ ପାଇଛନ୍ତି, ନିଜ ସୁବିଧା-ଅସୁବିଧା ଜଣାଇବା ପାଇଁ ଯେତେବେଳେ ସୁଯୋଗ ପାଇଛନ୍ତି, ଜନତା ପ୍ରଶ୍ନ ତ’ କରିବେ ହିଁ କରିବେ । ବାଲେଶ୍ୱର ଉପନିର୍ବାଚନର ପ୍ରଚାର ବେଳେ ଏମିତି ଦୁଇଟି ଚିତ୍ର ସାମ୍ନାକୁ ଆସିଛି, ଯେତେବେଳେ ନେତାଙ୍କ ଆଗରେ ଦାବି ରଖିଛନ୍ତି ଜନତା । କେଉଁଠି ବିଜୁଳି ସଂଯୋଗ ପାଇଁ ନେତାଙ୍କୁ ଘେରିଛନ୍ତି, ତ ଆଉ କେଉଁଠି ମଦ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ବୁଆଁଳ ପଂଚାୟତରେ ମହିଳାମାନେ ବିଜେଡି ନେତା ଅରୁଣ ଦେ’ଙ୍କୁ ଦାବି କରିଛନ୍ତି- ପ୍ରଥମେ ମଦ ବନ୍ଦ କରନ୍ତୁ ପରେ ଭୋଟ୍ । ମଦ ବନ୍ଦ ହେଲେ ମା-ଭଉଣୀମାନେ ଭୋଟ୍ ଦେବେ ବୋଲି କହିଛନ୍ତି ।

ସମାନ ଚିତ୍ର ବିଜୁଳି ସଂଯୋଗକୁ ନେଇ ମଧ୍ୟ ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ଘେରିଥିଲେ ବାଲେଶ୍ୱର ଭୋଟର୍ । ବିଜୁଳି ଖୁଂଟ ଲାଗିଥିଲେ ସୁଦ୍ଧା କାହିଁକି ବିଜୁଳି ଆସୁନାହିଁ ବୋଲି ପ୍ରଶ୍ନ କରିଥିଲେ ଭୋଟର୍ । ଆଉ ଭୋଟର୍ଙ୍କ ପ୍ରଶ୍ନର ଉତର ରଖିଥିଲେ ବିଜେଡି ପ୍ରାର୍ଥୀ । ଜନତାଙ୍କୁ ନେତା ବୁଝାଇ କହିଥିଲେ, ଟ୍ରାନ୍ସଫର୍ମର ବସିଯାଇଛି, ଶୀଘ୍ର ବିଦ୍ୟୁତ୍ ସଂଗ୍ରହ ହେବ ।

ଏପଟେ ଜଗତସିଂହପୁର ତିର୍ତୋଲ ଉପ-ନିର୍ବାଚନର ପ୍ରଚାର ବେଳେ ସାମ୍ନାକୁ ଆସିଛି ଆଉ ଏକ ଦୃଶ୍ୟ । ପ୍ରଚାର ବେଳେ ଯେମିତି କୋଭିଡ୍ ନିୟମର ଉଲଂଘନ ନହେବ ସେନେଇ ତଦାରଖ କରୁଛନ୍ତି ପ୍ରଶାସନର ଟିମ୍ । ନେତା, ରାଜନୈତିକ କର୍ମୀ ଓ ଜନତା ଯେଭଳି ନିୟମର ଅନୁପାଳନ କରିବେ ତାକୁ ନିରୀକ୍ଷଣ କରୁଛନ୍ତି । ଆଉ ଠିକ୍ ଏତିକି ବେଳେ କଂଟୁଆର’ରେ ପହଂଚିଥିଲେ ମନ୍ତ୍ରୀ ଅରୁଣ ସାହୁ । ଆଉ ଭିଡକୁ ଦେଖି କୋଭିଡ ନିୟମ ଉଲଂଘନ ହେବା ଆଶଙ୍କା କରି ସେଠି ପ୍ରଚାର କରିବା ବଦଳରେ ଚାଲି ଆସିଥିଲେ ଅରୁଣ ସାହୁ ।