ଆଶାୟୀ ଅନେକ, ଆସନ ଏକ । ବାଲେଶ୍ୱର ପରେ ତିର୍ତୋଲ ଉପ-ନିର୍ବାଚନକୁ ନେଇ ଛକାପଞ୍ଝା । ଟିକେଟକୁ ନେଇ ବିଜେଡିରେ ଟଣାଓଟଣା । ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ସମର୍ଥକଙ୍କ ତେଜୁଛି ବିବାଦ

209

କନକ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ସରଗରମ ହେଉଛି ରାଜନୀତି । ଓଡିଶାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳିରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଟିକେଟ ପାଇବା ପାଇଁ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଟିକେଟ ପାଇଁ ଏବେ ସବୁ ଦଳରେ ଚାଲିଛି କସରତ ।

ଯେମିତି ବାଲେଶ୍ୱରରେ ଟିକେଟ ପାଇଁ ଦଳ ଭିତରେ ବିବାଦ ଦେଖାଦେଲାଣି ସେମିତି ଜଗସିଂହପୁରର ତିର୍ତୋଲରେ ମଧ୍ୟ ବିଜେଡିରେ ବିବାଦ ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ଅଛନ୍ତି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସମର୍ଥକ ଏବଂ ଅନ୍ୟପଟେ ଅଛନ୍ତି, ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ । ସେପଟେ ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ ପାଇଁ ବିବାଦ ଦେଖା ଦେଲାଣି ।

କିଛି ଦିନ ତଳେ ବିଜେଡିରେ ପ୍ରାର୍ଥୀ ଚୟନକୁ ନେଇ ବିବାଦ ଜୋର ଧରିଥିଲା । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଏହା ମଧ୍ୟରେ ରବିନ୍ଦ୍ର ଜେନା ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ସଦର ଆସନକୁ ଦୁଇ ଭାଗରେ ବିଭକ୍ତ କରାଯାଇ ୮ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ୪ ଜଣଙ୍କୁ ଗ୍ରାମାଂଚଳ ଏବଂ ଆଉ ୪ ଜଣ ସହରାଂଚଳ କଥା ବୁଝିବେ । ଆଉ, ବାଲେଶ୍ୱରର ପୂର୍ବତନ ଜିଲ୍ଲା ସଭାପତି ତଥା ଭୋଗରାଇ ବିଧାୟକ ତଥା ପୁରୁଖା ନେତା ଅନନ୍ତ ଦାସ ନିର୍ବାଚନ ମୋର୍ଚ୍ଚା ସମ୍ଭାଳିବେ ।

ସେହିପରି ଜଗତିସିଂହପୁରରେ ମଧ୍ୟ ଦଳ ଭିତରେ ବିବାଦ ଯୋଗୁଁ ନିକଟରେ ଜିଲ୍ଲା ସଭାପତି ଚୟନ ମଧ୍ୟ ହୋଇପାରିନଥିଲା । ଆଗକୁ ଉପ-ନିର୍ବାଚନ ଥିବାରୁ ଦଳରେ ବିଶୃଙ୍ଖଳାକୁ ଆଖି ଆଗରେ ରଖି ସୁପ୍ରିମୋ ଜଗତସିଂହପୁରରେ କାହାରି ନାଁ ଉପରେ ମୋହର ମାରି ନଥିବା ଚର୍ତ୍ତା ହେଉଛି ।