ତିର୍ତ୍ତୋଲ ପାଇଁ ପ୍ରଚାର ସରଗରମ । ଭୋଟରଙ୍କ ପାଖରେ ୩ ଦଳର ପ୍ରମୁଖ ପ୍ରାର୍ଥୀ । କୋଭିଡ କଟକଣା ମଧ୍ୟରେ ଘର ଘର ବୁଲି ଚାଲିଛି ପ୍ରଚାର

181

କନକ ବ୍ୟୁରୋ: ତିର୍ତୋଳ ଉପନିର୍ବାଚନରେ ଜୋରଦାର ହୋଇଛି ବିଜେଡିର ପ୍ରଚାର । ତିର୍ତୋଲରେ ରାଘୁନାଥପୁର ବ୍ଲକରେ ଦଳୀୟ ପ୍ରଚାର ମଙ୍ଗ ଧରିଥିଲେ ଦଳର ବରିଷ୍ଠ ନେତା ସଂଜୟ ଦାସବର୍ମା । ଏହି ଅବସରରେ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ୍ ମାଗିଛନ୍ତି ସଂଜୟ ଦାସବର୍ମା । ଆଗକୁ ବିକାଶକୁ ଆଗକୁ ବଢାଯିବ, ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ବିଜେଡି ନେତା ।

ସେପଟେ ତିର୍ତୋଲ ଉପନିର୍ବାଚନ ପାଇଁ କର୍ମୀ ସମ୍ମିଳନୀ କରିବାସହ ପ୍ରଚାର ଜୋରଦାର କରିଛି ବିଜେପି । ଦଳର ବରିଷ୍ଠ ନେତା କେଭି ସିଂହଦେଓ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏହି ଅବସରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ଦଳର ଷ୍ଟାର ପ୍ରଚାରକ ବିଦୁସ୍ମିତା ଏବଂ ହାସ୍ୟ ଅଭିନେତା ହରିହର । ଏହି ଅବସରରେ ବିଜେପି ଏକ କର୍ମୀ ସମ୍ମିଳନୀ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜିତାଇବାକୁ ଭୋଟରଙ୍କୁ ଅନୁରୋଧ କରିଛି । ଏହି ଅବସରରେ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେଭି ସିଂ ଦେଓ । କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କାର ଅନୁଦାନ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଇ ଆସୁଥିବା କହିଛନ୍ତି ବିଜେପି ନେତା ।

ଅନ୍ୟପଟେ, ଆଜିଠାରୁ ବିଜେଡିର ପ୍ରଚାର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥର ମୈଇଦାନରେ ନୁହେଁ ନବୀନ ନିବାସରୁ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ ନବୀନ । ଆଜି ତିର୍ତୋଲରେ ଡିଜିଟାଲ ସମାବେଶ ଓ ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ କରିବେ ପ୍ରଚାର । ସେପଟେ ବାଲେଶ୍ୱର ବ୍ୟାଟେଲ ଗ୍ରାଉଣ୍ଡରେ ଚାଲିଛି ମହା ମୁକାବିଲ । ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ମଇଦାନ କମ୍ପୁଛି । ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବା ପାଇଁ ମିଳୁଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ବାଲେଶ୍ୱରରେ ଡେରା ପକାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାନସ ଦତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଠାରୁ ଆରମ୍ଭ କରି ବଡ ବଡ ନେତା କସରତ ଚଳାଇଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ନିଜ ସମର୍ଥକଙ୍କ ଶୋଭାଯାତ୍ରା, ସମାବେଶ ଓ ଘର ଘର ବୁଲି ପ୍ରଚାର କରୁଛନ୍ତି ।