ଉପ-ନିର୍ବାଚନ ପାଇଁ ପ୍ରଥମେ ବିଗୁଲ ବଜାଇଲା ବିଜେପି । ବାଲେଶ୍ୱର ସଦର ପାଇଁ ମାନସ ଦତ୍ତ, ତିର୍ତୋଲରୁ ରାଜକିଶୋର ବେହେରାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଲା ଦଳ । ବିଜେଡି ଓ କଂଗ୍ରେସରେ ଛିଡୁନି ଅଙ୍କ, ଚାଲିଛି ମାନସ ମନ୍ଥନ ।

127

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ବିଗୁଲ ବଜାଇଛି ବିଜେପି । ଆଜି ଦଳ ଉଭୟ ବାଲେଶ୍ୱର ଓ ତିର୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱରରେ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେପଟେ ତିର୍ତୋଲ ପାଇଁ ନିକଟରେ କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ରାଜକିଶୋର ବେହେରାଙ୍କୁ ଟିକେଟ ମିଳିଛି । ଏପଟେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଚୟନର ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ଜଣାପଡିଛି ।

ସେପଟେ ଦୁଇ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତଙ୍କ ନଜର ରହିଛି ବିଜେଡି ଓ କଂଗ୍ରେସ ଉପରେ । ଦୁଇ ବ୍ୟାଟଲ ଗ୍ରାଉଣ୍ଡରେ ବିଜେପି ପ୍ରାର୍ଥୀଙ୍କ ସହ ଲଢେଇ କରିବାକୁ ହାତ, ଶଙ୍ଖ କେଉଁ ସିପାହୀକୁ ସାମ୍ନାକୁ ଆଣୁଛନ୍ତି ତା ଉପରେ ସାରା ଓଡିଶାର ଆଖି ରହିଛି ।

ଚର୍ଚ୍ଚା ହେଉଛି ବାଲେଶ୍ୱର ସଦରରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସମାଜସେବୀ ସୁବାସିନୀ ଜେନାଙ୍କୁ ମିଳିପାରେ ଟିକେଟ । କାରଣ ସୁବାସିନୀଙ୍କୁ ନେଇ ବିଭିନ୍ନ ପଞ୍ଚାୟତକର୍ମୀଙ୍କ ସହ ଘନ ଘନ ବୈଠକ କରାଯାଉଥିବା ସୂଚନା ମିଳିଛି । ଅନ୍ୟପଟେ ଜୀବନପ୍ରଦୀପ ଦାସ ଗଣମାଧ୍ୟମକୁ ସିଧାସିଧା କହିଥିଲେ କି ପରାଜିତ ନେତାଙ୍କୁ ଦଳ ଟିକେଟ ଦେଉନି । କିଛି ଦିନ ତଳେ ରବୀନ୍ଦ୍ର ଜେନା ପ୍ରାର୍ଥୀ ହେବା କଥାକୁ ଖଣ୍ଡନ କରିଥିଲେ । ତେଣୁ ସୁବାସିନୀଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । କଂଗ୍ରେସ କଥା ଯଦି କୁହାଯାଏ ତେବେ ସମାଜସେବୀ ମମତା କୁଣ୍ଡଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ତାରାବାହିନୀ ପତିଙ୍କ ସୂଚନା ଅନୁସାରେ କଂଗ୍ରେସର ପ୍ରାର୍ଥୀ ବାଲେଶ୍ୱର ପାଇଁ ଚୂଡାନ୍ତ ହୋଇଛି । ଖୁବଶୀଘ୍ର ଘୋଷଣା ହୋଇପାରେ । ତେବେ କିଏ ହେବ ବାଲେଶ୍ୱର, ତିର୍ତ୍ତୋଲରୁ ହାତ ଶଙ୍ଖର ସିପାହୀ ତା ଉପରେ ନଜର ।