ସାରା ରାଜ୍ୟରେ ଅଗ୍ନିବର୍ଷା । ସକାଳ ସାଢ଼େ ୮ଟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ୩୦ ଉପରେ ପାରା ।

137

କନକ ବ୍ୟୁରୋ: ରାଜ୍ୟରେ ତାତି କରୁଛି କଲବଲ । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୩୪ ଦଶମିକ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଓ ଚାନ୍ଦବାଲିରେ ୩୨ଦଶମିକ ୬ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ପୁରୀରେ ୩୨ଦଶମିକ ୪, କେନ୍ଦୁଝରରେ ୩୧ଦଶମିକ ୨, ଝାରସୁଗୁଡ଼ା ଓ ଗୋପାଳପୁରରେ

୩୧ଦଶମିକ ୪, ହୀରାକୁଦରେ ୩୧ଡିଗ୍ରୀ ତାପମାତ୍ରା ରହିଛି । ପାରାଦୀପରେ ୩୦ଦଶମିକ ୮, ସମ୍ବଲପୁରରେ ୩୦ଦଶମିକ ୪ ଓ ରାଉରକେଲାରେ ୩୦ଡିଗ୍ରୀ ରହିଛି ତାପମାତ୍ରା । ସେପଟେ ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି । ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ବୃଦ୍ଧି ସମ୍ଭାବନା ରହିଛି । ୧୭ରୁ ୨୦ତାରିଖ ଭିତରେ କିଛି ଜିଲ୍ଲାରେ ତାତି ୪୩ରୁ ୪୫ଡିଗ୍ରୀ ପହଂଚିପାରେ । ରାଜ୍ୟକୁ ଆସୁଥିବା ଶୁଷ୍କ ବାୟୁ ଓ ସୂର୍ଯ୍ୟକିରଣର ତୀବ୍ରତା ବଢ଼ିବା ଯୋଗୁଁ ତାତି ବଢ଼ିବ । ଆଗାମୀ ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ରୁ ୬ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହେବା ସହ ୧୭ରୁ ୨୦ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି ।