୨୦୨୫ ସୁଦ୍ଧା ୫୦ ପ୍ରତିଶତ ଯୁବବର୍ଗ ଧନ୍ଦାମୂଳକ ଶିକ୍ଷାରେ ହେବେ ସଶକ୍ତ । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଟରେ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

64

କନକ ବ୍ୟୁରୋ: ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରହିଛି । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଟରେ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ସ୍କୁଲ, ଦକ୍ଷତା, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ୍ କ୍ରେଡିଟ୍ ଫ୍ରେମୱାର୍କ ବିକଶିତ କରାଯାଇଛି ।

ସେ କହିଛନ୍ତି, ଯେତେବେଳେ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି, ସେହି ସମୟରେ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟ୍ ହେଉଛି ଗ୍ଲୋବାଲ୍ ସାଉଥ୍ ଦେଶଗୁଡିକର ବାର୍ତାକୁ ଜି-୨୦ ମଞ୍ଚରେ ଉପସ୍ଥାପନ କରିବାର ଏକ ଭଲ ପ୍ଲାଟଫର୍ମ । ଜାତୀୟ ଶିକ୍ଷା ନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବା ସହ ଦେଶର ଯୁବପିଢ଼ିଙ୍କୁ ବିଶ୍ୱ ନାଗରିକ ଭାବରେ ବିକଶିତ କରିବ ।

ନୂଆ ଜାତୀୟ ଶିକ୍ଷାନୀତି ଉପରେ ବର୍ଣ୍ଣନା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ମାତୃଭାଷାରେ ଶିକ୍ଷା ଆହରଣ ଓ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯିବା ସହ ସ୍କୁଲ ସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି । ଜାତୀୟ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଚ୍ଚ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତନ ଆଣିବ । ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ୍ ଡିଗ୍ରୀ ପ୍ରଦାନ କରାଯାଉଛି । ବିଦେଶରେ ଆଇଆଇଟି ନିଜର କ୍ୟାମ୍ପସ ଆରମ୍ଭ କରିବାକୁ ଯାଉଛି । ବିଶ୍ୱର ଦକ୍ଷିଣ ଦେଶଗୁଡିକର ସହଭାଗିତାରେ ସାର୍ବଭୌମିକ ଶିକ୍ଷା ଏବଂ ମାନବ ସମ୍ବଳ ବିକାଶର ଲକ୍ଷ୍ୟକୁ ହାସଲ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ।