୨୦୨୨ ସୁଦ୍ଧା ସବୁ ଲୋକଙ୍କୁ ମିଳିବ ଘର ! ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ବୟାନ୍, କହିଲେ ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ ଟ୍ୟାପ୍ ପାଣି ।

250

କନକ ବ୍ୟୁରୋ : ୨୦୨୨ ସୁଦ୍ଧା ଦେଶର ସମସ୍ତ ପରିବାର ଯେମିତି ଘର ପାଇବେ ସେଥିପାଇଁ କେନ୍ଦ୍ର ସରକାର ନିଶ୍ଚିତ ବୋଲି ଶନିବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ବିଜେପି କର୍ମୀଙ୍କୁ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ରାଜନାଥ କହିଛନ୍ତି: ୨୦୨୨ ସୁଦ୍ଧା ଦେଶରେ ଘର ନ ଥିବା ପରିବାର ନ ଥିବ ଏବଂ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ପାଣି ଯୋଗାଇ ଦିଆଯିବାର ଲକ୍ଷ ରହିଛି । ଦେଶର ସବୁ ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ନିମନ୍ତେ ବ୍ୟବସ୍ଥା ହୋଇ ସାରିଛି ।

ପାକିସ୍ତାନ ଆତଙ୍କ ଶିଳ୍ପ ଚଳାଇଛି ବୋଲି ଭାଷଣରେ ରାଜନାଥ ପାକିସ୍ତାନକୁ ନିନ୍ଦା କରିଥିଲେ । ସେ କହିଲେ, ସମଗ୍ର ବିଶ୍ୱ ଭାରତ ସହ ଚାଲିବାକୁ ଚାହୁଁଛି, କିନ୍ତୁ ଆମ ଦେଶର ପଡ଼ୋଶୀ ପାକିସ୍ତାନ ଆତଙ୍କ ବ୍ୟାପାର ଚଳାଇଛି । ଯେ କୌଣସି ସ୍ଥାନରେ ଆତଙ୍କବାଦ ବ୍ୟାପାର ପାଲଟିଗଲେ ଅନ୍ୟ ବ୍ୟାପାର ଆପଣାଛାଏଁ ବନ୍ଦ ହୋଇଯାଏ ।

ରାଜନାଥ ଆହୁରି କହିଛନ୍ତି ଯେ ଆଗାମୀ ପ୍ରତିରକ୍ଷା କରିଡର୍‌ ଅନେକ ଶିଳ୍ପର ପ୍ରତିଷ୍ଠା ଲାଗି ବାଟ କଢ଼ାଇବ ଯାହା ଦେଶରେ କର୍ମସଂସ୍ଥାନ ସୃଷ୍ଟି କରିବାରେ ସହାୟକ ହେବ । ରାଜନାଥଙ୍କ ଛଡ଼ା, ଅନ୍ୟମାନଙ୍କ ମଧ୍ୟରେ ବିଜେପି ସାଂସଦ ଅଶୋକ ବାଜପାୟୀ, ବିଧାୟକ ଡକ୍ଟର ନୀରଜ ବୋରା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।