ଆଜି ବି ସାରା ରାଜ୍ୟରେ ଜାରି ରହିଛି ନିଆଁ ବର୍ଷା: ଦିନ ସାଢ଼େ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୪୩ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ

377

କନକ ବ୍ୟୁରୋ: ତାତି କରୁଛି କଲବଲ । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୪୩ ଦଶମିକ ୫ ଡିଗ୍ରୀ ରେକର୍ଡ । ସେହିପରି ଝାରସୁଗୁଡାରେ ୪୩ ଦଶମିକ ୨, ସମ୍ବଲପୁରରେ ୪୨ ଦଶମିକ ୭, ରାଉରକେଲାରେ ୪୨ ଦଶମିକ ୬, ହୀରାକୁଦରେ ୪୨ ଦଶମିକ ୬, ଚାନ୍ଦବାଲିରେ ୪୧ ଦଶମିକ ୪, ରାଜଧାନୀ ଭୁବନେଶ୍ୱରରେ ୪୦ ଦଶମିକ ୫ ଡିଗ୍ରୀ ଓ ବାଲେଶ୍ୱରରେ ୪୦ ଦଶମିକ ୨ ତାପମାତ୍ରା ରେକର୍ଡ । ଆଜି ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ପୁରୀରେ ୩୪ ଦଶମିକ ୬, ପାରାଦୀପରେ ୩୩ ଦଶମିକ ୨ ଓ ଗୋପାଳପୁରରେ ୩୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ରହିଛି । ଆଜି ନୟାଗଡ଼, ଅନୁଗୁଳୁ, ମୟୁରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାଶ୍ୱବର୍ତୀ ଜିଲ୍ଲା ଗୁଡ଼ିକରେ ବଙ୍ଗୋପସାଗର ଅଂଚଳରୁ ପ୍ରବାହିତ ବାୟୁର ସକ୍ରିୟତା ବୃଦ୍ଧି ସହ ଧୀରେ ଧୀରେ ଜଳୀୟ ବାଷ୍ପର ମାତ୍ରା ବୃଦ୍ଧି ପାଇଛି । ଫଳରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଏହି ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ଉତପ୍ତ ବାୟୁମଣ୍ଡଳ ପରସ୍ପର ସଂସ୍ପର୍ଶରେ ପ୍ରତିକ୍ର୍ରିୟା ଯୋଗୁ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।