କନକ ବ୍ୟୁରୋ : ଆପଣ ଅନଲାଇନରେ ମଦ ଅର୍ଡର କରୁଛନ୍ତି କି ! ତେବେ ସାବଧାନ୍ ହୋଇଯାଆନ୍ତୁ । ନହେଲେ ଠକାମିର ଶିକାର ହେବେ, ଆଉ ସାଇବର ଠକ ସବୁ ଠକିନେବେ । କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଭଳି କଟକଣା ଜାରି କରାଯାଇଛି । ଆଉ ଏହି ସମୟରେ ସମସ୍ତ ଦୋକାନ ବଜାର ମଧ୍ୟ ପ୍ରାୟତଃ ବନ୍ଦ ରହୁଛି । ତେବେ ମଦର ହୋମ ଡେଲିଭରି କରିବା ନେଇ କେତେକ ରାଜ୍ୟ ନିଷ୍ପତି ନେଇଥିବା ବେଳେ, ଏହା ଆରମ୍ଭ ନହେଉଣୁ ଆକ୍ଟିଭ ହୋଇଗଲେଣି ସାଇବର ଲୁଟେରା ।
ମଦର ହୋମ ଡେଲିଭରି ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ସାବଧାନ ନହେଲେ ଆପଣ ବି ହୋଇପାରନ୍ତି ସାଇବର ଲୁଟର ଶିକାର । ପ୍ରଥମେ ଆପଣଙ୍କ ପାଖକୁ ମଦ ଅର୍ଡର କରିବା ପାଇଁ କଲ୍ କି ମେସେଜ୍ ଆସିବ । ଆପଣ ସେଥିରେ କଥା ହେବା ପରେ ଯଦି ମଦ ଅର୍ଡର କରିବେ, ଆପଣଙ୍କୁ ଅଧା ଟଙ୍କା ପ୍ରଥମେ ପେମେଂଟ କରିବାକୁ କୁହାଯିବ । ଅର୍ଥାତ ଆପଣ ଯେତିକି ପରିମାଣରେ ମଦ ଅର୍ଡର କରିବେ, ତାହାର ମୂଲ୍ୟ ଯେତିକି ହୋଇଥିବ, ତାର ଅଧା ଟଙ୍କା ପ୍ରଥମେ ଆପଣଙ୍କୁ ଅନଲାଇନ୍ ମାଧ୍ୟମରେ ପେମେଂଟ କରିବାକୁ କୁହାଯିବ ।
ଆପଣ ପେମେଂଟ କରିବା ପରେ ନା ଆପଣଙ୍କ ପାଖକୁ କୌଣସି ମଦ ପହଂଚିବ ନା ଆପଣ ଆପଣଙ୍କ ଟଙ୍କା ଫେରସ୍ତ ପାଇବେ । ନିକଟରେ ଏମିତି ହିଁ କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ । ଯେଉଁଠି ଜଣେ ଗ୍ରାହକ ଏମିତି ହିଁ ଠକେଇର ଶିକାର ହୋଇଛନ୍ତି । ତାଙ୍କ ପାଖକୁ ମଧ୍ୟ ମଦ ଅର୍ଡର ନେଇ କଲ୍ ଆସିଥିଲା । ସେ ଅର୍ଡର କରିବା ପରେ ଅଧା ଟଙ୍କା ପେମେଂଟ କରିଦେଇଥିଲେ । କିନ୍ତୁ ଯେତେବେଳେ ବହୁତ ସମୟ ଧରି ମଦର ଡେଲିଭରି ହୋଇନଥିଲା, ସେ ସେହି ନମ୍ବରରେ କଲ କରିଥିଲେ, କିନ୍ତୁ ଫୋନ୍ ଆଉ ଲାଗିନଥିଲା । ଏହାପରେ ସେ ପୋଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ ।
ତେବେ କରୋନା କାଳରେ ଅନଲାଇନ୍ ମଦ ବିକ୍ରି ନାମରେ ଚାଲିଥିବା ସାଇବର ଠକେଇରୁ କେମିତି ବର୍ତିବେ ।
କୌଣସି ଶସ୍ତା କିମ୍ବା ଲୋଭନୀୟ ଅଫରରେ ଆପଣ ଲୋଭାନିତ ହୋଇଯାଆନ୍ତୁ ନାହିଁ । ଅଜଚ୍ଚା ବ୍ୟକ୍ତିଙ୍କ ପାଖରୁ ଯଦି କୌଣସି ଲିଙ୍କ ଆପଣଙ୍କ ପାଖକୁ ଆସେ, ତେବେ ସେହି ଲିଙ୍କ୍ କେବେବି ଓପନ କରନ୍ତୁ ନାହିଁ । କୌଣସି ପ୍ରକାର ଅନଲାଇନ୍ ଫର୍ମ ଭରିବା ପୂର୍ବରି ତାର ସତ୍ୟତା ଉପରେ ଥରେ ଯାଂଚ କରିନିଅନ୍ତୁ ।