କନକ ବ୍ୟୁରୋ : ଟମାଟୋ ପରେ ଏବେ ଡାଲିଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନେଇ କେନ୍ଦ୍ର ସରକାର ଏବେ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଏବେ କିଛି ରାଜ୍ୟରେ ସରକାର ମୋବାଇଲ ଭ୍ୟାନ ମାଧ୍ୟମରେ ଲୋକଙ୍କୁ ଶସ୍ତାରେ ଟମାଟୋ ଯୋଗାଉଥିବା ଭଳି ଶସ୍ତାରେ ଡାଲି ଯୋଗାଇ ଦେବେ ସରକାର । ହରଡ, ମୁଗ ଓ ଅନ୍ୟ ଡାଲିଗୁଡିକର ଦାମ ନିୟନ୍ତ୍ରଣ କରିବା ଉର୍ଦ୍ଦେଶ୍ୟରେ ସରକାର ଏବେ ଚଣା ଡାଲି ବିକ୍ରି କରିବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ କିଲୋପ୍ରତି ୬୦ ଟଙ୍କା ଦାମରେ ସରକାର ଚଣା ଡାଲି ବିକିବେ । ଏନେଇ ସରକାର ସାରା ଦେଶରେ ଥିବା ୭୦୩ଟି ନାଫେଡ ଷ୍ଟୋରକୁ ଚିହ୍ନଟ କରିଛନ୍ତି । କେନ୍ଦ୍ରୀୟ ଭଣ୍ଡାର ଓ ଡାଏରୀ ସଫଳ ରିଟେଲ ଷ୍ଟୋରରେ ମଧ୍ୟ ଏହି ଦାମରେ ଚଣାଡାଲି ଉପଭୋକ୍ତାମାନେ ପାଇପାରିବେ ।

Advertisment

କେନ୍ଦ୍ରୀୟ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରଣାଳୟର ମନ୍ତ୍ରୀ ପୀୟୁଷ ଗୋଏଲ ଏନେଇ ଘୋଷଣା କରିବା ପରେ ସୋମବାର ଠାରୁ କିଲୋପ୍ରତି ୬୦ ଟଙ୍କାରେ ଚଣାଡାଲି ବିକ୍ରି କରିବା ଆରମ୍ଭ ହୋଇଛି । ଭାରତ ଡାଲ ବ୍ରାଣ୍ଡ ନାମରେ ପ୍ୟାକ୍ ହେଉଥିବା ଚଣାଡାଲି କିଲୋପ୍ରତି ୬୦ ଟଙ୍କା ଓ ଯେଉଁ ଗ୍ରାହକମାନେ ୩୦ କିଲୋଗ୍ରାମର ପ୍ୟାକେଟ କିଣିବେ ସେମାନଙ୍କୁ କିଲୋପ୍ରତି ୫୫ ଟଙ୍କାରେ ମିଳିବ ।

କେବଳ ସେତିକି ନୁହେଁ ରାଜ୍ୟ ସରକାରମାନଙ୍କୁ ମଧ୍ୟ ପୋଲିସ, ଜେଲ ସମେତ ସାଧାରଣ ଖାଉଟିଙ୍କୁ ଶସ୍ତାରେ ଚଣାଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଚଣାଡାଲି ଯୋଗାଇ ଦିଆଯିବ ।