ଭୂମିହୀନ ପରିବାର ମୁହଁରେ ଆହାର ଯୋଗାଇଛି ଛତୁ । ଚାକିରି ହରାଇ ପରିବାର ପ୍ରତିପୋଷଣ ପାଇଁ ଧର୍ମଶାଳାରେ ଛତୁଚାଷ ଆରମ୍ଭ କଲେ ବୁଟୁକୁନୁ

102

କନକ ବ୍ୟୁରୋ : ଭୂମିହୀନ ପରିବାର ମୁହଁରେ ଆହାର ଦେଲା ଛତୁଚାଷ । ଚାକିରୀ ଚାଲିଯିବା ପରେ ଭୂମିହୀନ ପରିବାର ଦୀର୍ଘ ୧୩ ବର୍ଷଧରି ଛତୁ ଚାଷ କରି ପରିବାର ଚଳାଇବା ସହ ପିଲାଙ୍କୁ କରିପାରିଛନ୍ତି ଉଚ୍ଚଶିକ୍ଷିତ । ଆମେ କହୁଛୁ, ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଚୋରମୁହାଁ ଗାଁର ବୁଟୁକୁନୁ ମଣ୍ଡଳଙ୍କ ସଫଳ ଛତୁ ଚାଷର କାହାଣୀ । ଜୈବିକ ପଦ୍ଧତିରେ ଛତୁ ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଧର୍ମଶାଳା ବ୍ଲକ ଚୋରମୁହାଁ ଗାଁର ବୁଟୁକୁନୁ ମଣ୍ଡଳ । ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଚାକିରୀ କରି ପରିବାର ଚଳାଉଥିଲେ । ମାତ୍ର କମ୍ପାନୀ ବନ୍ଦ ହୋଇଯିବା ପରେ ଘର ଚଳାଇବା ପାଇଁ ଦେଖାଦେଇଥିଲା ସମସ୍ୟା । ହେଲେ ଭାଙ୍ଗିପଡିନଥିଲେ ବୁଟୁକୁଟ । ନିଜସ୍ୱ ଉଦ୍ୟମରେ ନିଜ ବାଡିରେ ୧୩ ବର୍ଷ ତଳେ ଆରମ୍ଭ କରିଥିଲେ ଛତୁ ଚାଷ । ଏହି ଛତୁ ଚାଷ ଏବେ ବୁଟୁକୁନଙ୍କ ପାଇଁ ପାଲଟିଛି ରୋଜଗାରର ମାଧ୍ୟମ । ନିଜ ପରିବାର ସଦସ୍ୟଙ୍କ ସହଯୋଗରେ ଛତୁ ବିକ୍ରି କରି ପରିବାର ଚଳାଇବା ସହ ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରିବାରେ ସକ୍ଷମ ହୋଇପାରିଛନ୍ତି ।

ବୁଟୁକୁନୁ ନିଜ ବାଡିରେ ତିନୋଟି ସେଡରେ ପାଖାପାଖି ଦୁଇହଜରାର ଛତୁ ବେଡ ପ୍ରସ୍ତୁତ କରଛନ୍ତି । ଏଥିରୁ ଦିନକୁ ୫୦ କେଜିରୁ ଏକ କୁଇଂଟାଲ ଯାଏ ପାଳ ଛତୁ, ଧିଙ୍ଗିରି ଛତୁ ଉତ୍ପାଦନ କରୁଛନ୍ତି ବୁଟୁକୁନୁ । ଆଗାମୀ ଦିନରେ ଡୁମା ଛତୁ ଉତ୍ପାଦନ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ତାଙ୍କ ପାଇଁ ବାଧକ ସାଜିଛି ବ୍ୟାଙ୍କ ଋଣ । ସେ ଭୂମିହୀନ ହୋଇଥିବାରୁ ଏହି ସୁବିଧାରୁ ବଂଚିତ । ବୁଟୁକୁନୁଙ୍କ ପରି ଜଣେ ଭୂମିହୀନ ସଫଳ ଛତୁ ଚାଷୀଙ୍କର ରୋଜଗାର ପାଇଁ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ।