କନକ ବ୍ୟୁରୋ : ଆଇପିଏଲର ଫାଇନାଲରେ ଏଣ୍ଟ୍ରି ମାରିଛି ରାଜସ୍ଥାନ । ବାଙ୍ଗାଲୋରକୁ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଛି ରାଜସ୍ଥାନ । ଆଉ ଏହାସହ ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ ଆଇପିଏଲ ଫାଇନାଲ ଖେଳିବାକୁ ସୁଯୋଗ ପାଇଛି ରାଜସ୍ଥାନ । ତେବେ ରାଜସ୍ଥାନକୁ ଫାଇନାଲ ଟିକେଟ ଦେବା ପଛର ସବୁଠୁ ବଡ ନାୟକ ସାଜିଛନ୍ତି ଜୋସ ବଟଲର । ବାଙ୍ଗାଲୋର ବିପକ୍ଷରେ ଧୂଆଁଧାର ଶତକ ସହ ରାଜସ୍ଥାନକୁ ବିଜୟ ଭେଟି ଦେଇଥିଲେ ବଟଲର । ଯେଉଁଥିପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ ବଟଲର । ଆଉ ଦଳର ବିଜୟ ପରେ ବଟଲର ଦିବଙ୍ଗତ କ୍ରିକେଟର ତଥା ରାଜସ୍ଥାନକୁ ଚାମ୍ପିୟନ କରିଥିବା ପୂର୍ବ ଅଧିନାୟକ ସେନ ୱାର୍ଣ୍ଣଙ୍କୁ ମନେ ପକାଇଥିଲେ ।
୨୦୦୮ ଆଇପିଏଲର ପ୍ରଥମ ସିଜିନରେ ରାଜସ୍ଥାନକୁ ଚାମ୍ପିୟନ କରିଥିଲେ ସେନ ୱାର୍ଣ୍ଣ । ଆଉ ଏହା ପରଠାରୁ ରାଜସ୍ଥାନ ଆଇପିଏଲରେ ଟ୍ରଫି ଜିତିବାରେ ସଫଳ ହୋଇନାହିଁ । ତେବେ କ୍ୱାଲିଫାଏର-୨ରେ ଜିତିବା ପରେ ବଟଲର କହିଛନ୍ତି, ଚଳିତ ସିଜିନ ପାଇଁ କମ ଆଶା ଓ ଅଧିକ ଉତ୍ସାହ ନେଇ ଆସିଥିଲି । ସିଜିନ ମଝିରେ ଖରାପ ଫର୍ମ ପାଇଁ ଚାପରେ ରହିଥିଲି । କିନ୍ତୁ ଦଳର କୋଚ୍ କୁମାର ସାଙ୍ଗାକାର ସହଯୋଗ କରିଥିଲେ । କ୍ରିଜରେ ଅଧିକରୁ ଅଧିକ ସମୟ ବିତାଇବା ପାଇଁ ସେ ମୋତେ ପରାମର୍ଶ ଦେଇଥିଲେ । ଯାହା ପୁଣିଥରେ ମୋତେ ଫର୍ମରେ ଫେରିବାକୁ ସାହାଯ୍ୟ କରିଥିଲା ।
ଏହାସହ ବଟଲର କହିଛନ୍ତି, ସେନ ୱାର୍ଣ୍ଣ ରାଜସ୍ଥାନ ରୟାଲ୍ସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ । ୱାର୍ଣ୍ଣଙ୍କ ଅଧିନାୟକତ୍ୱରେ ହିଁ ରାଜସ୍ଥାନ ପ୍ରଥମ ଥର ଚାମ୍ପିୟନ ହୋଇଥିଲା । ଆମେ ତାଙ୍କୁ ବହୁତ ମନେ ପକାଉଛୁ । ଆଜି ଉପରୁ ରହି ୱାର୍ଣ୍ଣ ଆମକୁ ବହୁତ ଗର୍ବର ସହ ଦେଖୁଥିବେ ।
ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ସେନ ୱାର୍ଣ୍ଣଙ୍କୁ ମ୍ୟାଚ୍ ପରେ ମନେ ପକାଇଛନ୍ତି । ସାମସନ କହିଛନ୍ତି, ପ୍ରଥମ ଆଇପିଏଲ ସିଜିନ ବେଳେ ମୋତେ ବହୁତ କମ ବୟସ ହୋଇଥିଲା । ସେତେବେଳେ କେରଳର ୧୬ ବର୍ଷରୁ କମ ଟିମରେ ଖେଳୁଥିଲି । ଆଉ ଫାଇନାଲ ମ୍ୟାଚ୍ ସାଥୀ ଖେଳାଳୀଙ୍କ ସହ ଦେଖିଥିଲି । ଏବେ ବି ମନେ ଅଛି, ଯେତେବେଳେ ସୋହେଲ ତନବୀର ଓ ସେନ ୱାର୍ଣ୍ଣ ବିଜୟୀ ରନ୍ ନେଉଥିଲେ । ଏହି ମୁହୂର୍ତ୍ତକୁ କେବେ ଭୁଲି ହେବ ନାହିଁ । ଏହାଛଡା ମ୍ୟାଚକୁ ନେଇ ସାମସନ କହିଥିଲେ, ଟସ୍ ଜିତିବା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଉ ଏଥିରେ ଆମେ ସଫଳ ହୋଇଥିଲୁ । ଯାହା ପରବର୍ତ୍ତୀ ସମୟରେ ମ୍ୟାଚ୍ ବିଜୟରେ ବଡ ଭୂମିକା ଗ୍ରହଣ କରିଥିଲା ।