କନକବ୍ୟୁରୋ: ନିୟମରାଜାର ଝିଅ । ନିୟମଗିରିର ସୁରକ୍ଷା ପାଇଁ ଲଢେଇ କରୁଥିବା ସୁରକ୍ଷା ସମିତିର ସେନା । ଜଳ, ଜମି ଓ ଜଙ୍ଗଲର ପାଇଁ ସଂଗ୍ରାମ କରୁଥିବା ଡଙ୍ଗରିଆ ଯୁବତୀ । ଯାହାକୁ ମାଓନେତ୍ରୀ ଦର୍ଶାଇ ମୋଷ୍ଟ ୱାଂଟେଡ୍ ବୋଲି ଘୋଷଣା କରିଛି ଓଡିଶା ପୁଲିସ । ଗାଁ ଗହଳି ସବୁଠି ଖୋଜୁଛି ରାୟଗଡା ପୁଲିସ । କନ୍ତୁ ସେ କହୁଛନ୍ତି ସେ ମାଓବାଦୀ ନୁହନ୍ତି । ତାଙ୍କୁ ମାଓବାଦୀ ସଜେଇ ମିଛ ମାମଲାରେ ଫସେଇ ଦେଇଛନ୍ତି ଦଲାଲ । ମିଞ୍ଜାଲି ସିକ୍କା ।
ଆଖିରେ ଆଖିଏ ସ୍ୱପ୍ନ । ଘର କରିବେ । ସଂସାର ଗଢ଼ିବେ । ହେଲେ ମୁଣ୍ଡ ଉପରେ ଝୁଲୁଛି ମୋଷ୍ଟ ୱାଂଟେଡର ଖଣ୍ଡା । ଗାଁରେ ଥାଇ ଲୁଚିଛପି ଭୟରେ ବଂଚିବାକୁ ପଡ଼ୁଛି । କାରଣ ପୁଲିସ ଫାଇଲରେ ସେ ମୋଷ୍ଟ ୱାଂଟେଡ ମାଓବାଦୀ । ୨ରୁ ୩ ବର୍ଷ ହେବ ଏହି ଯୁବତୀଙ୍କ ନାଁରେ ଲାଗିଛି ମାଓବାଦୀର ଅପବାଦ । ଯେଉଁ ଭୁଲ ସେ କରିନାହାନ୍ତି, ସେ ଭୁଲକୁ ଯଦି ସେ ସ୍ୱୀକାର କରିଯାଆନ୍ତି, ତେବେ ୨ଲକ୍ଷର ଆର୍ଥିକ ସହାୟତା ଦେବା ପାଇଁ ପ୍ରଶାସନ ଦେଇଛି ପ୍ରତିଶ୍ରୁତି । ଝିଅଟିଏ ମୁଣ୍ଡରେ କାହିଁକି ଓ କେମିତି ମାଓବାଦୀର ଦାଗ ଲାଗିଗଲା, ତାହା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବଣ ପାହାଡ଼ ଘେରା ରାୟଗଡ଼ା ଜିଲ୍ଲା ଲାଖପଦର ଗାଁରେ ରୁହନ୍ତି ମିଞ୍ଜାଲି ।
ପେଟପାଟଣା ପାଇଁ ଚାଷବାସ କରନ୍ତି । ଆଉ ନିୟମ ରାଜାଙ୍କ ସୁରକ୍ଷା ପାଇଁ ଯେତେବେଳେ ବି ଆଦିବାସୀମାନେ ବାହାରି ଆସନ୍ତି, ସେମାନଙ୍କ ସବା ଆଗରେ ଥାନ୍ତି ମିଞ୍ଜାଲି । ଜଙ୍ଗଲ, ଜମି ଓ ପାହାଡ଼ାର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା ମିଞ୍ଜାଲିଙ୍କୁ କେତେବେଳେ କେମିତି ଲାଲ ବାହିନୀର ସଦସ୍ୟ ସଜାଇ ଦିଆଗଲା, ସେ ବି ଜାଣିନାହାନ୍ତି ।ଗତ ତିନିବର୍ଷ ହେବ, ମିଞ୍ଜାଲିଙ୍କୁ ଖୋଜୁଛି ରାୟଗଡ଼ା ପୁଲିସ । ଆତ୍ମସମର୍ପଣ ପାଇଁ ପ୍ରସ୍ତାବ ବି ଦେଇଛି । ତେବେ କେଉଁଠି ଅଛନ୍ତି ମିଞ୍ଜାଲି, ସେ ଖବର ପୁଲିସ ପାଖରେ ନାହିଁ । ପୁଲିସ ସହ ଆଲୋଚନା କରିବା ପାଇଁ ନିବେଦନ କରିଛନ୍ତି ରାୟଗଡ଼ା ଏସପି । ନିୟମଗିରି ସୁରକ୍ଷା ପାଇଁ ସ୍ୱର ଉଠାଉଥିବା ଆଦିବାସୀଙ୍କ ନାଁରେ ମିଛ ମାମଲାର ଲମ୍ବା ତାଲିକା ରହିଛି । ଆଉ ସେହି ତାଲିକାରେ ଅଛନ୍ତି ଜୀବନ ଯୌବନକୁ ସ୍ୱପ୍ନ ଦେଖୁଥିବା ଡଙ୍ଗରିଆ ଯୁବତୀ ମିଞ୍ଜାଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/20-12.jpg)