ଘରେ ପଶି ଗୁଳିମାଡ କଲା ପଡ଼ୋଶୀ : ପୁଲିସର ଛାନଭିନ ଆରମ୍ଭ 

80

ନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ରେବିଙ୍ଗିଆ ପଞ୍ଚାୟତରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ରାତିରେ ଜଣେ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି । ଘରେ ପଶି ଦେଶୀ ବନ୍ଧୁକରୁ ପ୍ରାୟ ପାଞ୍ଚ ରାଉଣ୍ଡ୍‌ ଗୁଳି ଚଳାଇ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି । ଗୁଳିମାଡ଼ରେ ବ୍ୟବସାୟୀ ନବଘନ ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ହତ୍ୟାର କାରଣ ଜଣାପଡ଼ିନାହିଁ ।

ସୂଚନା ପ୍ରକାରେ, ଗୁରୁବାର ରାତି ୯ଟା ବେଳେ ନବଘନଙ୍କ ଘର ଖୋଲାଥିଲା। ହଠାତ୍‌ ଏକ ଦେଶୀ ବନ୍ଧୁକ ଧରି ଅଭିଯୁକ୍ତ ଭୀମ ବେହେରା ତାଙ୍କ ଘରେ ପଶିଥିଲା । କିଛି ଭାବିବା ପୂର୍ବରୁ ନବଘନଙ୍କ ଉପରକୁ ସେ ଆଖିବୁଜା ଗୁଳି ଚଳାଇଥିଲା । ଘରଲୋକ ଗୁଳି ଶବ୍ଦ ଶୁଣି ପହଞ୍ଚିଲା ବେଳକୁ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲା । ତେବେ ଗ୍ରାମବାସୀ ପିଛା କରିଥିଲେ ମଧ୍ୟ ଅଭିଯୁକ୍ତକୁ କାବୁ କରିପାରି ନଥିଲେ ।

ପରିବାର ଲୋକେ ତୁରନ୍ତ ନବଘନଙ୍କୁ ବାରଖମା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଭୀମ ସହ ତାଙ୍କର କୌଣସି ପୂର୍ବ ଶତ୍ରୁତା ନଥିଲା ବୋଲି ପରିବାର ଲୋକେ କହିଛନ୍ତି। ହେଲେ କାହିଁକି ଅଭିଯୁକ୍ତ ନବଘନଙ୍କୁ ଗୁଳି କଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।