ପୋଲିସ ମାଡରେ ବ୍ୟବସାୟୀ ମନିଷ ଗୁପ୍ତା ମୃତ୍ୟୁ ଘଟଣା । ଉତ୍ତରପ୍ରଦେଶରେ ଜୋର ଧରିଲା ରାଜନୀତି…

130

କନକ ବ୍ୟୁରୋ: ପୋଲିସ ମାଡରେ ବ୍ୟବସାୟୀ ମନିଷ ଗୁପ୍ତା ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶରେ ଜୋର ଧରିଲାଣି ରାଜନୀତି । ଘଟଣାକୁ ୪ ଦିନ ବିତିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଯାହାକୁ ନେଇ ଜୋର ଧରିଛି ରାଜନୀତି । ବିରୋଧି ଏନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାତିଅଧିଆ ଚେକିଙ୍ଗ ଆଳରେ ହୋଟେଲ ରୁମରେ ପଶି ଯେପରି ପୋଲିସ ବ୍ୟବସାୟୀ ମନିଷ ଗୁପ୍ତାଙ୍କୁ ହତ୍ୟା କରିଥିଲା ତାହାର ଜବାବ ୟୁପି ସରକାର ଦେବାକୁ ସମାଜବାଦୀ ପାର୍ଟି ନେତା ଦାବି କରିଛନ୍ତି ।

ଗତ ୨୭ ତାରିଖ ସୋମବାର ଗୋରଖପୁରରେ ଏକ ହୋଟେଲ୍ରେ ବ୍ୟବସାୟୀ ମନିଷ ଗୁପ୍ତା ଥିବାବେଳେ ହଠାତ୍ ପୋଲିସ ଚେକିଂ ଆଳରେ ସେଠାରେ ପହଁଚିଥିଲା । ଚେକିଂ ପାଇଁ ପୋଲିସ ମନିଷକୁ ଆଇଡି କାର୍ଡ ମାଗିଥିଲେ । ହେଲେ ଏଇଟା ଚେକିଂ ଟାଇମ ବୋଲି ପ୍ରଶ୍ନ କରିଥିଲେ ମନିଷ । ଯେଉଁଥିରେ ପୋଲିସ ରାଗିଯାଇ, ମନିଷଙ୍କୁ ମାଡ ମାରିଥିଲା । ଫଳରେ ବ୍ୟବସାୟୀ ମନିଷଙ୍କ ମୃତ୍ୟୁ ଘଟିଥିଲା । ଏ ମାମଲାରେ ସମ୍ପୃକ୍ତ ୬ ଜଣ ପୋଲିସ କର୍ମୀଙ୍କୁ ନିଳମ୍ବନ କରାଯାଇଥିବାବେଳେ ବର୍ତମାନ ସୁଦ୍ଧା ସେମାନଙ୍କୁ ଗିରଫ କରାଯାଇ ନାହିଁ ।

ଘଟଣାରେ ଯୋଗୀ ସରକାର ମନିଷଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ସମେତ ପତ୍ନୀଙ୍କୁ ସରକାରୀ ଚାକିରି ଓ ଝିଅର ପାଠପଢା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସବୁଠୁ ବଡ କଥା ହେଲା ଘଟଣାର ଶୀଘ୍ର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ନଥିବା ପୋଲିସର ଅବହେଳାକୁ ଦର୍ଶାଇଛି ।