ଘରଭଡ଼ା ନେଇ ବ୍ୟବସାୟୀ ହଟହଟା: ଘରମାଲିକଙ୍କ ସହ କରିଥିଲେ ୫ ବର୍ଷିଆ ଏଗ୍ରିମେଂଟ, ଏବେ ଘର ଛାଡିବାକୁ ବାଧ୍ୟ କରୁଛନ୍ତି ମାଲିକ

502

କନକ ବ୍ୟୁରୋ: ୫ ବର୍ଷ ପାଇଁ ହୋଇଛି ଘରଭଡା ଚୁକ୍ତି । ୩ଲକ୍ଷ ଟଙ୍କାର ସିକ୍ୟୁରିଟି ବି ଦିଆ ସରିଛି । ମାଲିକ କହୁଛନ୍ତି ଘର ଛାଡ, ଘର ନଛାଡିଲେ ବିଦ୍ୟୁତ ସଂଯୋଗ କାଟୁଛନ୍ତି । ଆଉ ପୋଲିସକୁ ହାତ ବାରିସ କରି ମିଛ ମାମଲାରେ ଛନ୍ଦୁଛନ୍ତି ଘର ମାଲିକ । ଏମିତି ଅସୁବିଧାର ସାମ୍ନା କରୁଛନ୍ତି କଟକର ଜଣେ ଶିଳ୍ପୋଦ୍ୟୋଗୀ ଭବାନୀ ଶଙ୍କର ଦାଶ ।

କଟକ ମଧୁପାଟଣା ଥାନା ଅଂଚଳରେ ଘରଭଡା ନେଇ ବ୍ୟବସାୟ ଆରମ୍ଭ କରିଥିବା ଭବାନୀ ଶଙ୍କରଙ୍କ ଦୁଃଖ । ପାଂଚ ବର୍ଷ ପାଇଁ ଘରଭଡା ନେଇ ବେସନ, ଛତୁଆ ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲେ । ୨୦୨୦ ନଭେମ୍ବର ମାସରେ ୫ବର୍ଷ ଲାଗି ଘର ମାଲିକ ଓ ତାଙ୍କ ମଧ୍ୟରେ ଚୁକ୍ତିନାମା ବି ହୋଇଥିଲା । ଦୁଇ ପକ୍ଷ ମଧ୍ୟରେ ଘରଭଡା ଦେବା ପାଇଁ ହୋଇଥିବା ଚୁକ୍ତିନାମାର କପି । ସିକ୍ୟୁରିଟି ବାବଦକୁ ୩ଲକ୍ଷ ଟଙ୍କା ବି ଦେଇଥିଲେ । ମାତ୍ର ୧୬ମାସ ନପୂରୁଣୁ ତାଙ୍କ ଉପରେ ଲଦି ହୋଇପଡିଛି ପାହାଡର ବୋଝ ।

ଯେଉଁ ଘରକୁ ବାଲିସାହିର ସତ୍ୟବ୍ରତ ମହାନ୍ତିଙ୍କଠାରୁ ଭଡା ସୁତ୍ରରେ ନେଇ ବେପାର ଆରମ୍ଭ କରିଥିଲେ ଭବାନୀ । କିନ୍ତୁ ଅଚାନକ ଘର ମାଲିକ ସତ୍ୟବ୍ରତ ଭବାନୀଙ୍କୁ ନଜଣାଇ ଏହି ଘର ଓ ଜାଗାଟିକୁ ବିକ୍ରୀ କରି ଦେଇଥିଲେ । ଏବେ ନୂଆ ମାଲିକ ଘର ଛାଡିବାକୁ ବାରମ୍ବାର ବାଧ୍ୟ କରୁଛନ୍ତି । ଏପରିକି ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟି ଦେଇଛନ୍ତି । ବଡ କଥା ହେଉଛି, ଘର କିଣିଥିବା ନୂଆ ମାଲିକ ଜଣେ ତହସିଲଦାରଙ୍କ ପତ୍ନୀ ହୋଇଥିବାରୁ ସେ ତାଙ୍କର ପ୍ରଭାବ ବଳରେ ଭାବନୀଙ୍କୁ ଘରୁ ହଟାଇବା ପାଇଁ ଚାପ ପକାଉଛନ୍ତି ।

ଭବାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟ ଏହି ମାମଲାର ବିଚାର କରି ପରର୍ବର୍ତି ଆଦେଶ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ର୍ନିଦେଶ ଦେଇଛନ୍ତି । ହେଲେ, ନୂଆ ଘର ମାଲିକ ସୁରେଖା ନାୟକ ଓ ମଧୁ ପାଟଣା ଥାନା ଅଧୀକାରୀ ଷଡଯନ୍ତ୍ର କରି ବାରମ୍ବାର ଥାନାକୁ ଡାକି ଭବାନୀଙ୍କୁ ହଇରାଣ କରୁଥିବା ସେ କହିଛନ୍ତି । ଏହା କେବଳ ଭବାନୀଙ୍କ ଦୁଃଖ । କିନ୍ତୁ ବାସ୍ତବରେ ଏ ହେଉଛି ଭଡାରେ ରହୁଥିବା ଅନେକଙ୍କ ଦୁଃଖ । ଯାହାକୁ ସହିବା ସାଧାରଣ ଭଡାଟିଆଙ୍କ ପାଇଁ ମୁସକିଲ ।