ଲକଡାଉନରେ ଦେବାଳିଆ ହେଲେଣି ବ୍ୟବସାୟୀ, ହେଲେ ମାଲାମାଲ ହେଉଛନ୍ତି ସରକାର । କଟକରେ ସବୁ ଦିନପାଇଁ  ହୋଟେଲରେ ତାଲା ପକାଇଦେଲେ ବ୍ୟବସାୟୀ 

239

କନକ ବ୍ୟୁରୋ: ମହାମାରୀ କରୋନାର ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ଜାରି ରହିଛି । ତୃତୀୟ ଲହର ଖୁବ୍ ଶୀଘ୍ର ଆସିବ ବୋଲି କୁହାଯାଉଛି । ଏହି ମହାମାରୀ ଜନଜୀବନକୁ ବ୍ୟାପକ ଭାବରେ ପ୍ରଭାବିତ କରିଛି । ଅର୍ଥନୀତି ତଳ ମୁହାଁ ହୋଇଛି । ଗରିବ ଅଧିକ ଗରିବ ହୋଇଛି । କିନ୍ତୁ ହାତ ଗଣତି ଧନୀଙ୍କ ଧନ ବଢ଼ିବା ସରକାରଙ୍କ ଆୟ ବି ବଢ଼ିଛି ।

ମହାମାରୀ କରୋନା ଜଣେ ସାଧାରଣ ବ୍ୟବସାୟୀକୁ କେଉଁ ଭଳି ଭାବରେ ପ୍ରଭାବିତ କରିଛି ଏ ହେଉଛି ତାର ବାସ୍ତବ ଚିତ୍ର । ମାସ ମାସ ଧରି ଯେତେବେଳେ ବ୍ୟବସାୟ ବନ୍ଦ ହୋଇଯାଇଛି । ହୋଟେଲକୁ କେହି ବି ଗ୍ରାହକ ଆସୁ ନାହାଁନ୍ତି । କିନ୍ତୁ ଷ୍ଟାଫ୍ ପେମେଂଟ ଓ ଦୋକାନ ଭଡା ଦେବାକୁ ପଡୁଛି । ମୁଣ୍ଡ ଉପରେ ଋଣ ଶୁଝିବାର ବୋଝ ରହିଛି । ପୂର୍ବର ସଂଚିତ ଥିବା ଟଙ୍କା ଶେଷ ହୋଇଗଲାଣି, ସେତେବେଳେ  ଦୋକାନକୁ ଏମିତି ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ରାଜୀବ ।

ଲକଡାଉନ ପ୍ରଭାବରେ ସାଧାରଣ ମଣିଷ ଗରିବ ହେଉଥିବାବେଳେ କିନ୍ତୁ ଚକିତ କରିବା ଭଳି ତଥ୍ୟ ସାମନାକୁ ଆସିଛି । ଏହି ସମୟରେ ବଢ଼ିଛି ସରକାରଙ୍କ ରାଜସ୍ୱ ଆୟ  । ଜୁଲାଇ ମାସରେ ଓଡିଶାରେ ୩ ହଜାର ୬୧୫ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ଗତ ବର୍ଷ ଏହି ସମୟରେ ୨ ହଜାର ୩୪୮ କୋଟି ଟଙ୍କା ଆୟ ହୋଇଥିଲା । ଯାହାକି ପୂର୍ବ ତୁଳନାରେ ୫୪ ପ୍ରତିଶତ ଅଧିକ । ସେହିପରି ସର୍ବଭାରତୀୟ ସ୍ତରରେ ମଧ୍ୟ ବଢ଼ିଛି ଜିଏସଟି ସଂଗ୍ରହ । ତେବେ ଏହାକୁ ଅର୍ଥନୈତିକ ସୁଧାରର ଏକ ବଡ ସଂକେତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ।